ଭୁବନେଶ୍ୱର: ଅକ୍ଟୋବର ୨୫ରୁ ଆରମ୍ଭ ହେବ ମା’ଗଜଲକ୍ଷ୍ମୀଙ୍କ ପୂଜା । ସେଥିପାଇଁ ରାଜଧାନୀଠୁ ଆରମ୍ଭ କରି ଉପକଣ୍ଠ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । କେଉଁ ଅନୁଷ୍ଠାନ କିପରି ଭାବେ ମା’ଅନ୍ନପୂର୍ଣ୍ଣାଙ୍କୁ ଆବାହନ କରିବେ ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ଛୁଇଁଲାଣି। କେଉଁଠି ତୋରଣ ନିର୍ମାଣ ଓ ସାଜସଜ୍ଜା ଚାଲିଛି ତ କେଉଁଠି ମୂର୍ତ୍ତି ନିର୍ମାଣ କାମ ଶେଷ ହେବାକୁ ବସିଛି। ଜାଗମରା ଗଜଲକ୍ଷ୍ମୀ ପୂଜା କମିଟି ପ୍ରସ୍ତୁତି ଶେଷ ପର୍ଯ୍ୟାୟ ଛୁଇଁଛି । ଜାଗମରା ମେଳଣ ପଡିଆରେ ହେବାକୁ ଥିବା ଏହି ପୂଜାରେ ଆକର୍ଷଣୀୟ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରାଯାଉଛି । ୨୦ରୁ ଅଧିକ ବଙ୍ଗୀୟ କାରିଗର ଏହି କାର୍ଯ୍ୟରେ ଲାଗିଛନ୍ତି । ଏଠାରେ ସାଢ଼େ ୭ ଫୁଟ ଉଚ୍ଚର ମା’ ଙ୍କ ମୂର୍ତ୍ତି ତିଆରି ହେଉଛି । ପ୍ରତ୍ୟେକ ଦିନ ମା’ଙ୍କ ନିକଟରେ କାକରା ଓ ଖିରି ଭୋଗ ଲାଗି ହେବ । ୨୫ ତାରିଖରୁ ଏହି ପୂଜା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୯ ତାରିଖ ଦିନ ପୂର୍ଣ୍ଣାହୁତି ହେବା ସହିତ ୩ ହଜାର ଭକ୍ତମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯିବ । ୪ ବର୍ଷରେ ପାଦ ଥାପୁଥିବା ଏହି ଅନୁଷ୍ଠାନରେ ୧୫୦ରୁ ଅଧିକ ସଦସ୍ୟ ଅଛନ୍ତି ଓ ସମସ୍ତେ ମିଳିମିଶି ପୂଜା କାର୍ଯ୍ୟ ସମ୍ପାଦନ କରନ୍ତି ।










