ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଶନିବାର ଖ୍ରୀଷ୍ଟର୍ଚଚ୍ଚରେ ଖେଳାଯିବ। ଉକ୍ତ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ହାଇସ୍କୋରିଂ ମ୍ୟାଚରେ ଭାରତ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା। ଘରୋଇ ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚକୁ ଜିତି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଥିବାବେଳେ ଭାରତ ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଚମକପଦ ବିଜୟ ହାସଲ କରିଥିଲା।ନ୍ୟୁଜିଲାଣ୍ଡ ବିଶାଳ ୨୨୫ରନ କରିଥିବାବେଳେ ଭାରତ ଏହାକୁ ସଫଳତାର ସହ ପିଛା କରି ବିଜୟୀ ହୋଇଥିଲା। ଓପନର ସଞ୍ଜୁ ସାମସନଙ୍କ ୬୭ ଓ ଅଭିଷେକ ଶର୍ମାଙ୍କ ୨୯ରନ ଭଲ ଆରମ୍ଭ ପରେ ଅଧିନାୟକ ଶ୍ରେୟସ ଆୟର ଓ ନମନ ଧିର ୪୨ ରନ ଲେଖାଏଁ ସ୍କୋର କରି ଭାରତର ବିଜୟକୁ ସୁଗମ କରିଥିଲା।
ତିଲକ ବର୍ମା ବିଫଳ ହୋଇଥିବାବେଳେ ଅକ୍ଷର ପଟେଲ ୨୪ରନ କରିଥିଲେ। ଆହତ ପାଇଁ ଈଶାନ କିଷନ ଉକ୍ତ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। ଭାରତ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ବୋଲିଂ ଚିନ୍ତାଜନକ ହୋଇଛି। ଭୁବନେଶ୍ବର କୁମାର ୪ ଓଭରରେ ୪୯ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ହେଲେ ୱିକେଟ ପାଇନଥିଲେ। ଅର୍ଶଦୀପ୍ ସିଂହ ୪୫ରନରେ ଗୋଟିଏ ଓ ମୟଙ୍କ ଯାଦବ ୪୦ରନରେ ଗୋଟିଏ ୱିକେଟ ନେଇଥିଲେ। ଅକ୍ଷର ପଟେଲ ୫୧ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ପ୍ରଥମ ମ୍ୟାଚରେ ଭାରତ ଦୁର୍ବଳ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ ବୋଲିଂରେ ସେଭଳି ପରିବର୍ତ୍ତନ ନେଇ ଆଶା କରାଯାଉନାହିଁ।










