28.1 C
Bhubaneswar
Friday, October 23, 2026
Homeଓଡିଶାଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ
ପ୍ରଶ୍ନ ଉଠାଇଲା ବିଜେଡି

ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ
ପ୍ରଶ୍ନ ଉଠାଇଲା ବିଜେଡି

ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆକୁ ନେଇ ରାଜ୍ୟ ସରକାର ସୁପି୍ରମକୋର୍ଟର ଦ୍ୱାରସ୍ଥ ହେବା ନିନ୍ଦନୀୟ
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତୁ ନାହିଁ ଡବଲ ଇଞ୍ଜିନ ସରକାର
ସୀମା ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର:  ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଜି ବିଜେଡିର ଏକ ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରି ଫାଟୁସିନେରି, ନେରେଡିଭାଲାସା, ଗଞ୍ଜେଇପଦର ଓ ଅନ୍ୟାନ୍ୟ ଗ୍ରାମର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲା । ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ ନେଇ ସ୍ଥିତି ଅନୁଧ୍ୟାନ କରିଥିଲା ବିଜେଡି ପ୍ରତିନିଧିମଣ୍ଡଳୀ । ବିଜେଡି ପ୍ରତିନିଧି ମଣ୍ଡଳୀ କହିଥିଲେ ଯେ, ଯଦି ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ହେବ ନାହିଁ ଏବଂ ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ, ଏହାଠୁ ବଡ଼ ଅପମାନ ଓଡ଼ିଶା ପାଇଁ କିଛି ହୋଇନପାରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଓଡ଼ିଶା ସରକାର ଆନ୍ଧ୍ର ସରକାର ଆଗରେ ଆତ୍ମସମର୍ପଣ କରିଛନ୍ତି । ଆନ୍ଧ୍ର ଆଗରେ ଅସହାୟ ଓଡ଼ିଶା ସରକାର । ରାଜ୍ୟ ସରକାର କୋଟିଆ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ନ୍ୟାୟ ଭିକ୍ଷା ପାଇଁ ମାନ୍ୟବର ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହେବା ରାଜ୍ୟ ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି । କୋଟିଆ ଓଡ଼ିଶାର ଥିଲା ଓ ଓଡ଼ିଶାର ହେଇକି ରହିବ । ଆନ୍ଧ୍ର କୋଟିଆକୁ ଛଡ଼ାଇ ନେଇପାରିବ ନାହିଁ । ବିଜେଡି ଶତପ୍ରତିଶତ ଉଦ୍ୟମ କରିବ ଏହି ନିର୍ବାଚନ ବନ୍ଦ କରିବା ପାଇଁ । କୋଟିଆବାସୀ ଅନୁଭବ କରିସାରିଲେଣି ବିଜେଡି ସରକାର ସମୟରେ ଏଭଳି ଅବସ୍ଥା କେବେ ହୋଇନଥିଲା । ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ବିଜେପି ସରକାର ଦାୟୀ ।

ଫାଟୁସିନେରି ଗ୍ରାମ ଗସ୍ତ ସମୟରେ ପ୍ରତିନିଧି ମଣ୍ଡଳୀ ଦେଖିବାକୁ ପାଇଥିଲା ଯେ, ଏହି ଅଞ୍ଚଳରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି)ର କର୍ମୀମାନେ ନିର୍ବାଚନୀ ପ୍ରଚାର କରୁଥିଲେ । ଏହି ପ୍ରଚାରକୁ ପ୍ରତିନିଧିମଣ୍ଡଳୀ ବିରୋଧ କରିବା ପରେ କର୍ମୀମାନେ ସେଠାରୁ ଚାଲିଯାଇଥିଲେ । କୋଟିଆ ଅଞ୍ଚଳରେ ପର୍ଯ୍ୟାପ୍ତ ଓଡ଼ିଶା ପୋଲିସ୍ ମୁତୟନ ନହେବା ଏବଂ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କ ଉପସ୍ଥିତି ଓ ହସ୍ତକ୍ଷେପକୁ ନେଇ ବିଜେଡି ଉଦ୍ବେଗ ପ୍ରକାଶ କରିଛି । ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ପ୍ରକି୍ରୟା ଜାରି ଥିବା ସତ୍ତ୍ୱେ ଓଡ଼ିଶା ପ୍ରଶାସନର କୌଣସି ପ୍ରତିକ୍ରିୟା ନଥିବା ପ୍ରତିନିଧି ଦଳ ଅନୁଭବ କରିଛି । ଶ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି । ଏହି ଅଞ୍ଚଳରେ ରାଜ୍ୟର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବା ସହ ଦୃଢ଼ ପଦକ୍ଷେପ ଜରିଆରେ ଓଡ଼ିଶାବାସୀ ତଥା ରାଜ୍ୟର ସୀମା ସୁରକ୍ଷିତ ରଖନ୍ତୁ ।

ଓଡ଼ିଶାର ଭୂଖଣ୍ଡଗତ ଅଖଣ୍ଡତାର ସୁରକ୍ଷା କେବଳ ନିର୍ବାଚନୀ ସ୍ଲୋଗାନ କିମ୍ୱା ରାଜନୈତିକ ପ୍ରତିଶ୍ରୁତିରେ ସୀମିତ ରହିପାରିବ ନାହିଁ । ଏଥିପାଇଁ ପ୍ରଶାସନିକ ସତର୍କତା, ପ୍ରଭାବଶାଳୀ ପୋଲିସ୍ ବ୍ୟବସ୍ଥା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ଏବଂ ପ୍ରଭାବିତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ସାମ୍ୱିଧାନିକ ଓ ଆଇନଗତ ଅଧିକାରର ସୁରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ । ଏହି ଗସ୍ତର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ପ୍ରତିନିଧି ମଣ୍ଡଳୀ, ଯାହା ଉପରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଜେଡି ଦାବି କରିଛି ଯେ, ଓଡ଼ିଶା ସରକାର ତୁରନ୍ତ ପ୍ରଭାବିତ ଅଞ୍ଚଳରେ ପୋଲିସ୍ ମୁତୟନ କରିବା ସହ ସୀମାନ୍ତରେ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ । ଦାୟିତ୍ୱ ସମ୍ପନ୍ନ ପ୍ରଶାସନିକ ଅଧିକାରୀଙ୍କୁ କୋଟିଆରେ ନିୟୋଜିତ କରନ୍ତୁ । ନିର୍ବାଚନୀ ପ୍ରଚାର ଘଟଣାର ତଦନ୍ତ କରନ୍ତୁ ଏବଂ ଯେଉଁଠାରେ ଆଇନ ଉଲ୍ଲଙ୍ଘନ ପ୍ରମାଣିତ ହେବ, ସେଠାରେ ଆଇନଗତ ପଦକ୍ଷେପ ନିଅନ୍ତୁ । ଏଥିସହ ଓଡ଼ିଶାର ସ୍ୱାର୍ଥ ଏବଂ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେଇ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ଓଡ଼ିଶା ସରକାର କେବଳ ସ୍ଲୋଗାନରେ ସୀମିତ ନ ରହି କୋଟିଆ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ନିଅନ୍ତୁ । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସାଂସଦ ଶ୍ରୀ ଝିନ୍ନ ହିକକା ଓ ଶ୍ରୀ ପ୍ରଦୀପ ମାଝୀ, ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଭୁ ଜାନି, ଶ୍ରୀ ରଘୁରାମ ପଡ଼ାଲ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗୀ ଓ ଶ୍ରୀ ପ୍ରୀତମ ପାଢ଼ୀ, ବିଜେଡି ଆଦିବାସୀ ସେଲ୍ର ସାଧାରଣ ସମ୍ପାଦିକା ଶ୍ରୀମତୀ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା ଏବଂ କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking