ସାଉଦି ଆରବ: ସାଉଦି ଆରବରେ ଡ୍ରୋନ୍ ଆକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ଦମ୍ମାମର କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ବିମାନବନ୍ଦରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦରକୁ ଆସୁଥିବା କିଛି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ସାଉଦି ଆରବର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗୁରୁବାର ସକାଳେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଦମ୍ମାମସ୍ଥିତ କିଙ୍ଗ ଫାହଦ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା। ଏହା ପରେ ବିମାନବନ୍ଦରରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ସେବା Flightradar24 ଅନୁଯାୟୀ, ବିମାନବନ୍ଦରକୁ ଆସୁଥିବା କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି ।
ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ସାଉଦି କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଇରାନ ସମର୍ଥିତ ହୁଥିମାନେ ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ ମଧ୍ୟ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଏହା ପୂର୍ବରୁ ସାଉଦି ଆରବର ବିଭିନ୍ନ ପ୍ରମୁଖ ବିମାନବନ୍ଦରକୁ ହୁଥି ବିଦ୍ରୋହୀମାନେ ଟାର୍ଗେଟ କରିଥିବା ଅଭିଯୋଗ ରହିଛି । ଅନ୍ୟପଟେ, ସାଉଦି ଆରବର ପୂର୍ବାଞ୍ଚଳରେ ଚାରୋଟି ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରିଥିବା ଦାବି କରିଛି ସାଉଦି ମିଳିତ ବାହିନୀ । ଏହା ସହ ଦେଶର ଏକ ତୈଳ କ୍ଷେତ୍ରରେ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯିବା ପରେ ଏହାର ଭଗ୍ନାବଶେଷ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ସାଉଦି ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ନେପାଳ ଓ ଫିଲିପାଇନ୍ସର ନାଗରିକ ରହିଛନ୍ତି । ଆହତଙ୍କ ମଧ୍ୟରେ ପାକିସ୍ତାନ ଓ ଭାରତର ନାଗରିକ ଅଛନ୍ତି । ଏହା ସହ ଚଳିତ ମାସ ଆରମ୍ଭରେ ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ଆରାମକୋର ଏକ ପ୍ରଶାସନିକ କୋଠାରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ଶକ୍ତି ମନ୍ତ୍ରଣାଳୟ ସୂଚନା ଦେଇଥିଲା ।










