ନୂଆଦିଲ୍ଲୀ : କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ନିଜ ସମର୍ଥକଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ଦୀପାବଳି ପର୍ଯ୍ୟନ୍ତ କୌଣସି ପ୍ରତିବାଦ କିମ୍ବା ଆନ୍ଦୋଳନ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପାର୍ବଣ ସମୟରେ ନିଜ ପରିବାର ସହ ସମୟ ବିତାଇବାକୁ ସେ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି । ୧୬ ମିନିଟ୍ରୁ ଅଧିକ ସମୟର ଏକ ଭିଡିଓ ବାର୍ତ୍ତାରେ ଅଭିଜିତ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଯାହା ଘଟିଛି, ତାହାକୁ ନେଇ ପରିବାର ଲୋକେ ନିଶ୍ଚିତ ଭାବେ ଚିନ୍ତିତ ଥିବେ । ତେଣୁ କିଛି ଦିନ ପାଇଁ ନିଜ ପରିବାର ଓ ପ୍ରିୟଜନଙ୍କ ସହ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଭିଡିଓ ବାର୍ତ୍ତାରେ ଜେଲ୍ରେ ଥିବା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ କଥା ମଧ୍ୟ ଉଠାଇଛନ୍ତି ଅଭିଜିତ । ଉଭୟଙ୍କ ନ୍ୟାୟିକ ହାଜତ ଅବଧି କୋର୍ଟ ଆଉ ଦୁଇ ଦିନ ବଢ଼ାଇଥିବା ସେ କହିଛନ୍ତି । ଅଭିଜିତଙ୍କ କହିବା ଅନୁସାରେ, ସୌରଭ ୬ ଦିନରୁ ଅଧିକ ସମୟ ହେଲା ଜେଲ୍ରେ ରହିଥିଲେ ମଧ୍ୟ କୋର୍ଟକୁ ହସି ହସି ଆସୁଛନ୍ତି । ଯେଉଁ ସୌରଭଙ୍କୁ ଦିନେ ପ୍ରତିବାଦ ସମୟରେ ଷ୍ଟାରବକ୍ସ କୋଲ୍ଡ କଫି ପିଇବା ପାଇଁ ଥଟ୍ଟା କରାଯାଉଥିଲା, ସେ ଆଜି ଜେଲ୍ରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ସୌରଭଙ୍କ ମାଆଙ୍କ ସହ କଥା ହୋଇଥିବା ମଧ୍ୟ ଅଭିଜିତ କହିଛନ୍ତି ।ସେହିପରି ଆଶୁତୋଷ ରାଙ୍କା ଜେଲ୍ରେ ଥିବା ସମୟରେ ତାଙ୍କ ଅଙ୍କଲଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସେ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇପାରି ନଥିଲେ । ତଥାପି ତାଙ୍କ ପରିବାର ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବାକୁ ସମର୍ଥନ କରୁଥିବା ଅଭିଜିତ କହିଛନ୍ତି ।










