ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ୫ କିଲୋଗ୍ରାମରୁ ଊର୍ଦ୍ଧ୍ୱ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ଉପରେ କଷ୍ଟମ୍ସ ବିଭାଗର ସ୍କ୍ୱାଡ୍ ନଜର ରଖିଥିଲା। ସନ୍ଦେହ ହେବାରୁ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୫ କିଲୋଗ୍ରାମରୁ ଅଧିକ ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଥିଲା। ଏହାକୁ କଷ୍ଟମ୍ସ ବିଭାଗ ଜବତ କରିଥିଲା।
ହାଇଡ୍ରୋପୋନିକ୍ ଗଞ୍ଜେଇ ହେଉଛି ମାଟି ବିନା ଜଳଭିତ୍ତିକ ପଦ୍ଧତିରେ ଚାଷ କରାଯାଉଥିବା ଏକ ପ୍ରକାରର ଗଞ୍ଜେଇ। ଏହାର ବେଆଇନ କାରବାର ଉପରେ ନିଶା ନିୟନ୍ତ୍ରଣକାରୀ ସଂସ୍ଥାଗୁଡ଼ିକ ନଜର ରଖିଥାନ୍ତି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା ହୋଇଥିବାରୁ ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଗଞ୍ଜେଇ କେଉଁଠାରୁ ଅଣାଯାଇଥିଲା ଏବଂ ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା, ସେନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।










