26.1 C
Bhubaneswar
Friday, October 16, 2026
Homeଓଡିଶାଜନସେବା, ଦକ୍ଷତା ଓ ନୈତିକତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଇଞ୍ଜିନିୟରମାନଙ୍କୁ ଆହ୍ୱାନ

ଜନସେବା, ଦକ୍ଷତା ଓ ନୈତିକତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଇଞ୍ଜିନିୟରମାନଙ୍କୁ ଆହ୍ୱାନ

ଭୁବନେଶ୍ୱର: ସାଧାରଣ ଲୋକଙ୍କ ସେବା, ବୈଷୟିକ ଦକ୍ଷତା ଓ ନୈତିକତାକୁ ପ୍ରଶାସନିକ କାର୍ଯ୍ୟଧାରାର ମୂଳ ଆଧାର କରି କାର୍ଯ୍ୟ କରିବାକୁ ଇଞ୍ଜିନିୟରମାନଙ୍କୁ ଆହ୍ୱାନ ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପକ୍ଷରୁ ଆୟୋଜିତ ଜନସ୍ୱାସ୍ଥ୍ୟ ଅଭିଯାନ୍ତ୍ରିକୀ ବିଭାଗ (PHEO) କ୍ୟାଡରର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ପାଇଁ ୧୧ ଦିନିଆ ଅଭିମୁଖୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି ।

ଉଦ୍‌ଯାପନୀ ଅଧିବେଶନରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଥିଲେ ଯେ, ରାଷ୍ଟ୍ର ନିର୍ମାଣ ତଥା ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ସେବା ଯୋଗାଇଦେବାରେ ଇଞ୍ଜିନିୟରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜନସେବାର ତିନୋଟି ମୂଳ ସ୍ତମ୍ଭ—ସେବା, ଦକ୍ଷତା ଓ ନୈତିକତା—କୁ ନିଜ ବୃତ୍ତିଗତ ଜୀବନର ମାର୍ଗଦର୍ଶକ ଭାବେ ଗ୍ରହଣ କରିବାକୁ ସେ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଇଞ୍ଜିନିୟରମାନଙ୍କୁ ବୃତ୍ତିଗତ ସଚ୍ଚୋଟତା ବଜାୟ ରଖିବା, ବୈଷୟିକ ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ବିକଶିତ କରିବା ସହ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ଓ ସମ୍ବେଦନଶୀଳ ହେବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ଜଳଯୋଗାଣ କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରି ସମସ୍ତ ନାଗରିକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ଉନ୍ନତ ମାନର ପାନୀୟ ଜଳ ଯୋଗାଇଦେବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ କହିଥିଲେ । ବୈଷୟିକ ଉତ୍କର୍ଷ ସହ ନୈତିକ ନିଷ୍ପତ୍ତି ଗ୍ରହଣ, ସ୍ୱଚ୍ଛତା ଓ ଜନସ୍ୱାର୍ଥ ପ୍ରତି ଦୃଢ଼ ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।

ଏହି ୧୧ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ବୈଷୟିକ ଜ୍ଞାନ, ପ୍ରଶାସନିକ ବୁଝାମଣା ଓ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା, ଯାହାଦ୍ୱାରା ସେମାନେ ସହରାଞ୍ଚଳ ବିକାଶ ଓ ଜନସ୍ୱାସ୍ଥ୍ୟ ଅଭିଯାନ୍ତ୍ରିକୀ କ୍ଷେତ୍ରରେ ନିଜ ଦାୟିତ୍ୱ ଅଧିକ ଦକ୍ଷତାର ସହ ନିର୍ବାହ କରିପାରିବେ । ପ୍ରଶିକ୍ଷଣ ସମୟରେ ଓଡ଼ିଶା ଆର୍ଥିକ ନିୟମାବଳୀ , ସୂଚନା ଅଧିକାର ଆଇନ , ସାମଗ୍ରୀ ଓ ସେବା କ୍ରୟ, ଚୁକ୍ତି ପରିଚାଳନା ଏବଂ ପ୍ରଶାସନରେ ନୈତିକତା ଆଦି ବିଷୟରେ ବୈଷୟିକ ଓ ବିଷୟଭିତ୍ତିକ ଅଧିବେଶନ ଆୟୋଜିତ ହୋଇଥିଲା । ଏହି ଅଧିବେଶନଗୁଡ଼ିକ ମାଧ୍ୟମରେ ଆର୍ଥିକ ଓ ପ୍ରଶାସନିକ ପ୍ରକ୍ରିୟା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ସାର୍ବଜନୀନ କ୍ରୟ ବ୍ୟବସ୍ଥା ଏବଂ ଚୁକ୍ତି କାର୍ଯ୍ୟକାରିତା ସମ୍ପର୍କରେ ଅଧିକ ସ୍ପଷ୍ଟ ଧାରଣା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଦ୍‌ଯାପନୀ ଅଧିବେଶନରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଦିଲୀପ କୁମାର ରାଉତରାୟ, ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ସୁଭେନ୍ଦୁ କୁମାର ସାହୁ, ଜନସ୍ୱାସ୍ଥ୍ୟ ଅଭିଯାନ୍ତ୍ରିକୀ ସଂଗଠନ (PHEO)ର ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ବିଳାସ କୁମାର ବେହେରା, ଦକ୍ଷତା ବିକାଶ ପରାମର୍ଶଦାତା ଡକ୍ଟର ଏସ୍. ପେପିନ୍ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୫୬ ଜଣ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking