27.1 C
Bhubaneswar
Friday, October 16, 2026
Homeଓଡିଶାମହିଳା ଓ ଶିଶୁ ବିକାଶ ପାଇଁ ସମୟବଦ୍ଧ କାର୍ଯ୍ୟଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମହିଳା ଓ ଶିଶୁ ବିକାଶ ପାଇଁ ସମୟବଦ୍ଧ କାର୍ଯ୍ୟଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ରାଜ୍ୟର ଲକ୍ଷ୍ୟ ନିର୍ଦ୍ଧାରଣ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ଆଲେଚନା କରାଯାଇଛି। ଉଦ୍ଦିଷ୍ଟ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ, ଆନ୍ତଃ-ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ୍‌ଶୀଘ୍ର ୪ଟି ପ୍ରମୁଖ ବିଷୟବସ୍ତୁକୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଗତ ଅକ୍ଟୋବର ୮ ଓ ୯ ତାରିଖରେ ନୂଆଦିଲ୍ଲୀଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଜାତୀୟ ସମ୍ମିଳନୀର ନିଷ୍କର୍ଷ ଆଧାରରେ ଏହି ଲକ୍ଷ୍ୟଗୁଡ଼ିକ ସ୍ଥିର କରାଯାଇଛି। ସରକାରୀ ଯୋଜନାର ପ୍ରକୃତ ଲାଭ ଯେପରି ମହିଳା ଓ ଶିଶୁମାନଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସୁଦୃଢ଼ ମୋନିଟରିଂ, ସମୟବଦ୍ଧ ଆକ୍ସନ୍ ପ୍ଲାନ୍ ଏବଂ ଉତ୍ତରଦାୟୀ କାର୍ଯ୍ୟାନ୍ୱୟନ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

କେନ୍ଦ୍ର ସରକାରଙ୍କ ସହ ତାଳଦେଇ ଓଡ଼ିଶା ଚାରୋଟି ମୁଖ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇଛି, ଯାହା ମଧ୍ୟରେ ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ବିକାଶ, ‘ମିଶନ୍ ବାତ୍ସଲ୍ୟ’ ଅଧୀନରେ ଶିଶୁ ସୁରକ୍ଷା, ମହିଳା ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଅନ୍ତର୍ଭୁକ୍ତ। ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ବିକାଶ (ECCE) ଅଧୀନରେ ଟେକ୍-ହୋମ୍ ରାସନ୍ (THR) ଓ ରନ୍ଧା ଖାଦ୍ୟର ଗୁଣବତ୍ତା ବୃଦ୍ଧି, ‘ପୋଷଣ ଟ୍ରାକର୍’ ମାଧ୍ୟମରେ ଅନୁଧ୍ୟାନ, ଅତିଶୟ ପୁଷ୍ଟିହୀନ (SAM) ଶିଶୁଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା ପାଇଁ ପ୍ରେରଣ କରିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁ-ଅନୁକୂଳ କରି ପ୍ରାକ୍-ବିଦ୍ୟାଳୟ ଶିକ୍ଷାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଶିଶୁ ସୁରକ୍ଷା କ୍ଷେତ୍ରରେ ପରିବାର-କୈନ୍ଦ୍ରିକ ଓ ପ୍ରତିରୋଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନାଥ ଆଶ୍ରମ ବଦଳରେ ପରିବାର-ଭିତ୍ତିକ ଯତ୍ନ, ଆଶ୍ରମ ଛାଡ଼ୁଥିବା ଶିଶୁଙ୍କ ପୁନର୍ବାସ ଓ ଆଫ୍ଟରକେୟାର ସପୋର୍ଟ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସେହିପରି ମହିଳା ସୁରକ୍ଷା ପାଇଁ ‘ୱାନ୍ ଷ୍ଟପ୍ ସେଣ୍ଟର୍’ ଓ ‘୧୮୧ ମହିଳା ହେଲ୍ପଲାଇନ୍’କୁ ଅଧିକ ସୁଦୃଢ଼ କରାଯିବ। ରାଜ୍ୟର ୧୨ଟି ଅଧିକ ବାଲ୍ୟବିବାହ ପ୍ରବଣ ଜିଲ୍ଲାରେ ସ୍ୱତନ୍ତ୍ର ସଚେତନତା ଓ ଭୁଲ୍ ଚିହ୍ନଟ ମାଧ୍ୟମରେ ବାଲ୍ୟବିବାହ ରୋକିବା ସହ କର୍ମସଂସ୍ଥାନରେ ମହିଳାଙ୍କ ସୁରକ୍ଷା ପାଇଁ ‘POSH’ ନିୟମାବଳୀ ଓ ‘SHe-Box’ ର କଡ଼ାକଡ଼ି ପାଳନ କରାଯିବ।

ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବା ପାଇଁ କାର୍ଯ୍ୟରତ ମହିଳାଙ୍କ ପାଇଁ କ୍ରେଚ୍ (Crèches) ଓ ହଷ୍ଟେଲ୍ ଭିତ୍ତିଭୂମିର ସମ୍ପ୍ରସାରଣ, ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳ ରୂପାୟନ ଏବଂ କେନ୍ଦ୍ରର ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ସହ ଓଡ଼ିଶାର ‘ମମତା ଯୋଜନା’ର ସମନ୍ୱୟ ରକ୍ଷା କରାଯିବ। ଏହାସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ “ମହିଳା ଆର୍ଥିକ ସଶକ୍ତିକରଣ ଢାଞ୍ଚା” କାର୍ଯ୍ୟକାରୀ କରି ଶ୍ରମବଳରେ ମହିଳାଙ୍କ ଭାଗୀଦାରୀ, ରୋଜଗାର ଓ ଉଦ୍ୟୋଗିତା ଉପରେ ନଜର ରଖାଯିବ।ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking