ନୂଆଦିଲ୍ଲୀ: ଆସୁଛନ୍ତି ମାଆ। ଭକ୍ତଙ୍କ ଡାକରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ ଦୁର୍ଗା । ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଆଉ ମନ୍ତ୍ରୋଚ୍ଚାରଣରେ ମୁଖରିତ ହେବ ପୂଜାମଣ୍ଡପ । ଚାରିଆଡ଼େ ଉତ୍ସବର ମାହୋଲ୍, ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ । ଆଜି ପବିତ୍ର ମହାଷଷ୍ଠୀ । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୂଜାମଣ୍ଡପ। ଭକ୍ତି, ଆସ୍ଥା ଓ ପରମ୍ପରାର ମିଳନରେ ଆରମ୍ଭ ହେଉଛି ଶାରଦୀୟ ଦୁର୍ଗାପୂଜାର ମହାପର୍ବ ।ଦୁର୍ଗାପୂଜାର ଅନ୍ୟତମ ପ୍ରମୁଖ ଦିନ ହେଉଛି ମହାଷଷ୍ଠୀ । ଏହି ଦିନରେ ପାରମ୍ପରିକ ବିଧିବିଧାନ ଅନୁସାରେ ମାଆଙ୍କ ବୋଧନ, ଆମନ୍ତ୍ରଣ ଓ ଅଧିବାସ ଭଳି ରୀତିନୀତି ସମ୍ପନ୍ନ କରାଯାଏ । ଦେବୀଙ୍କୁ ଆବାହନ କରି ଆରମ୍ଭ ହୁଏ ପୂଜାର୍ଚ୍ଚନା । ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳେ ପ୍ରବଳ ଉତ୍ସାହ ।
କେଉଁଠି ଆକର୍ଷଣୀୟ ତୋରଣ, ତ ଆଉ କେଉଁଠି ଭବ୍ୟ ସାଜସଜ୍ଜା । ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତିର ମନମୋହକ ରୂପ ଭକ୍ତଙ୍କୁ କରୁଛି ଆକର୍ଷିତ । ଧୂପଦୀପର ମହକ, ଶଙ୍ଖଧ୍ୱନି ଓ ଭଜନକୀର୍ତ୍ତନରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ଧାର୍ମିକ ବିଶ୍ୱାସ ଅନୁସାରେ, ମାଆ ଦୁର୍ଗା ହେଉଛନ୍ତି ଶକ୍ତି ଓ ସାହସର ପ୍ରତୀକ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ଏବଂ ଅଶୁଭ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟର ବାର୍ତ୍ତା ଦିଏ ଏହି ପର୍ବ ।










