26.1 C
Bhubaneswar
Friday, October 9, 2026
Homeଓଡିଶାଅଣ୍ଡା ଉତ୍ପାଦନରେ ଆଶାଜନକ ବୃଦ୍ଧି ଘଟିବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଅଣ୍ଡା ଉତ୍ପାଦନରେ ଆଶାଜନକ ବୃଦ୍ଧି ଘଟିବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ସ୍ଥାନୀୟ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ଵାରା ବିଶ୍ଵ ଅଣ୍ଡା ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ନୂତନ ଯୋଜନା ‘ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ର ଶୁଭାରମ୍ଭ କରିଥିଲେ । ଓଡ଼ିଶା ଭିଜନ-୨୦୩୬କୁ ଆଖି ଆଗରେ ରଖି ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ବାର୍ଷିକ ଏକ ହଜାର କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପୂରଣ ଦିଗରେ ‘ବ୍ୟବସାୟିକ ଅଣ୍ଡାଦିଆ କୁକୁଡ଼ାପାଳନ ଯୋଜନା’ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ଅଭିହିତ ହେବ ବୋଲି ମନ୍ତ୍ରୀ ମତ ରଖିଥିଲେ । ଯୋଜନା ବିଷୟରେ ଆଲୋଚନା କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅଣ୍ଡାର ଆବଶ୍ୟକତା ପୂରଣ କରିବା ସହ ପୋଲଟ୍ରି କ୍ଷେତ୍ରରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଭାବେ ରାଜ୍ୟ ସରକାର ‘କମର୍ସିଆଲ୍ ଲେୟାର ଫାର୍ମିଂ ଯୋଜନା (CLFY)’ର ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ୨୫,୦୦୦ ରୁ ଅଧିକ କ୍ଷମତାବିଶିଷ୍ଟ ଆଧୁନିକ ସ୍ୱୟଂଚାଳିତ (automated) କମର୍ସିଆଲ୍ ଲେୟାର/ପୁଲେଟ୍ ଫାର୍ମ ପ୍ରତିଷ୍ଠା ପାଇଁ ରିହାତି ଯୋଗାଇ ଦିଆଯିବ। ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ ସହ ବ୍ୟାଙ୍କ ଋଣ କ୍ଷେତ୍ରରେ ଉଦ୍ୟୋଗୀଙ୍କ ସୁଧ ଭାର କମାଇବା ପାଇଁ ‘ମିରର ଆକାଉଣ୍ଟ’ (Mirror Account) ମାଧ୍ୟମରେ ଅଗ୍ରିମ ସବସିଡି ମଧ୍ୟ ପ୍ରଦାନ କରାଯିବ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନର ବର୍ତ୍ତମାନ ସ୍ଥିତି ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ବିଷୟରେ ତଥ୍ୟ ରଖି କହିଛନ୍ତି ଯେ ଆମ ରାଜ୍ୟରେ ଏବେ ଦୈନିକ ପ୍ରାୟ ୧ କୋଟି ୧୨ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି। ଏ ମଧ୍ୟରେ ରାଜ୍ୟର ୧୮୯ ଟି ବ୍ୟବସାୟିକ ଲେୟର ଫାର୍ମ, ଅର୍ଦ୍ଧବ୍ୟବସାୟିକ ଲେୟର ଫାର୍ମ ଓ ବାଡି ଅଗଣାରେ କୁକୁଡ଼ା ପାଳନରୁ ଉତ୍ପାଦିତ ଅଣ୍ଡା ସନ୍ନିବେଶିତ । ଏ ସମସ୍ତ ପ୍ରକାରର ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି । ପ୍ରାଣିସମ୍ପଦ ସମୃଦ୍ଧି ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷରେ ୪୩,୦୦୦ ହିତାଧିକାରୀଙ୍କୁ ବାଡି ଅଗଣାରେ କୁକୁଡ଼ାପାଳନ ପାଇଁ ଶତ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ବତକ ପାଳନ ପାଇଁ ୨ ଲକ୍ଷ ୬୪ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅର୍ଦ୍ଧ ବ୍ୟବସାୟିକ ଲେୟର ଫାର୍ମ ନିମନ୍ତେ ହଜାରେ ଅଣ୍ଡାଦିଆ କୁକୁଡ଼ାରୁ ଆରମ୍ଭ କରି ୪ ହଜାର ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ୫୦ ରୁ ୬୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ସହାୟତା ସର୍ବାଧିକ ୧୯ ଲକ୍ଷ ୭୪ ହଜାର ଟଙ୍କାର ରହିଛି। ବଡ ଧରଣର ଲେୟର ଫାର୍ମ ପ୍ରତିଷ୍ଠା ପାଇଁ ଉଦ୍ଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହୟତା ଯୋଗାଇ ଦିଆଯାଉଛି ଏବଂ ଏବେ ୨୫,୦୦୦ ରୁ ଅଧିକ କ୍ଷମତା ବିଶିଷ୍ଟ ଆଧୁନିକ ସ୍ୱୟଂଚାଳିତ (Automated) କମର୍ସିଆଲ୍ ଲେୟାର/ପୁଲେଟ୍ ଫାର୍ମ ପ୍ରତିଷ୍ଠା ପାଇଁ ସର୍ବାଧିକ ୧୦ କୋଟି ଟଙ୍କା ପର୍ଯନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏ ସମସ୍ତ ଯୋଜନାର ରୂପାୟନକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଣ୍ଡା ଉତ୍ପାଦନରେ ଆଶାଜନକ ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ଆମ ରାଜ୍ୟରେ ଏବେ ମୁଣ୍ଡପିଛା ଅଣ୍ଡାର ଉପଲବ୍ଧତା ବାର୍ଷିକ ୮୭ ଟି ଅଣ୍ଡା ଥିବାବେଳେ ଭାରତ ବର୍ଷରେ ଏହି ସଂଖ୍ୟା ୧୦୬ ରହିଛି । ଆମେ ଏହାକୁ ଆଗାମୀ ୨୦୨୯ ବେଳକୁ ସର୍ବଭାରତୀୟ ସ୍ତର ସହ ସମାନ କରି ପରବର୍ତ୍ତୀ ସମୟରେ ଅଣ୍ଡା ଉତ୍ପାଦନରେ ଦେଶର ପ୍ରଥମ ୫ ଟି ରାଜ୍ୟ ଭିତରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଗତ ଅଢେଇ ବର୍ଷ ମଧ୍ୟରେ କୁକୁଡ଼ା ପାଳନ ପାଇଁ ପ୍ରାୟ ୫୧୨ କୋଟି ଟଙ୍କାର ଆର୍ଥିକ ସହାୟତା କୁକୁଡ଼ାପାଳକ ଓ ଉଦ୍ଯୋଗୀମାନଙ୍କୁ ପ୍ରଦାନ କରାଯାଇଛି। ଏହି ସହାୟତା ଉଭୟ ବ୍ରଏଲର ଓ ଲେୟର ଫାର୍ମ ପ୍ରତିଷ୍ଠା ପାଇଁ ଦିଆଯାଇଛି। ଏଥିରୁ ଆମ ରାଜ୍ୟର କୁକୁଡ଼ାପାଳକ ଓ ଉଦ୍ଯୋଗୀ ଲାଭବାନ ହେଉଛନ୍ତି ଏବଂ ରାଜ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଉତ୍ପାଦନ ଆଶାଜନକ ଭାବରେ ବଢିଚାଲିଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ଅନେକ ଆଗକୁ ନେବାର ଅଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କୁକୁଡ଼ାପାଳକ ଓ ଉଦ୍ଯୋଗୀ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking