ନୂଆଦିଲ୍ଲୀ :ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ବୁଧବାର ଭୋର ସମୟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ ଏର୍ଟିଗା କାର ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସର ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାରଟି ପ୍ରାୟ ୧୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଏଥିରେ ଥିବା ୬ ଜଣ ଯୁବ ଖେଳାଳି କାର ଭିତରେ ଫସି ଯାଇଥିଲେ । ଖବର ପାଇ ଏକ୍ସପ୍ରେସୱେର ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ଚେଷ୍ଟା ପରେ କାର ଭିତରୁ ସମସ୍ତଙ୍କୁ ବାହାର କରାଯାଇଥିଲା । ଗୁରୁତର ଆହତମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ କୁମାରଗଞ୍ଜ ଡାକ୍ତରଖାନା ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଅଯୋଧ୍ୟାର ଦର୍ଶନନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।ଦୁର୍ଘଟଣାରେ ଦେଓରିଆର ୨୨ ବର୍ଷୀୟ ନିତ୍ୟ ପ୍ରଜାପତି, ୨୦ ବର୍ଷୀୟ ଇରଫାନ ଅନସାରୀ ଏବଂ ୨୪ ବର୍ଷୀୟ ଅନିକେତଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ କହିଛି । ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସୀ ଆରମ୍ଭ ହୋଇଛି ।










