ଯାଜପୁର : ୧୧ ମାସର ଶିଶୁକୁ ବଞ୍ଚାଇବାକୁ ଦରକାର ୧୬ କୋଟି ଟଙ୍କା । ମାତ୍ର ୧୧ ମାସର ଝିଅ ତ୍ରିଶିକା ଏବେ ଏକ ଦୁର୍ଲଭ ରୋଗ ସହ ଲଢ଼ୁଛନ୍ତି । ତ୍ରିଶିକା ଏସ୍ଏମ୍ଏ ଟାଇପ୍-୨, ଅର୍ଥାତ୍ Spinal Muscular Atrophy Type-2ରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହି ରୋଗ ଯୋଗୁଁ ଶିଶୁର ମାଂସପେଶୀ ଦୁର୍ବଳ ହେବା ସହ ତାଙ୍କର ସ୍ୱାଭାବିକ ଚଳପ୍ରଚଳନ ଓ ଶାରୀରିକ ବିକାଶ ପ୍ରଭାବିତ ହୋଇଥାଏ । ତ୍ରିଶିକାଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏତେ ବଡ଼ ଅର୍ଥରାଶି ଯୋଗାଡ଼ କରିବା ଏବେ ତାଙ୍କ ବାପା, ମାଆଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।ସୂଚନା ଅନୁସାରେ, ନୂଆଦିଲ୍ଲୀ ଏମ୍ସରେ ତ୍ରିଶିକାଙ୍କ ସମସ୍ତ ପରୀକ୍ଷା ସରିଛି । ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ପ୍ରକ୍ରିୟା ପରେ ଏବେ କେବଳ ଅର୍ଥର ବ୍ୟବସ୍ଥା ହେବାକୁ ଅପେକ୍ଷା । ଟଙ୍କା ଯୋଗାଡ଼ ହେଲେ ତ୍ରିଶିକାଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ ବୋଲି ପରିବାର କହିଛି ।
ନିଜ ଛୋଟ ଝିଅକୁ ବଞ୍ଚାଇବା ପାଇଁ ଏବେ ସାହାଯ୍ୟର ହାତ ଲୋଡ଼ିଛନ୍ତି ବାପା, ମାଆ । ଏତେ ବଡ଼ ଅର୍ଥରାଶି ଏକାକୀ ଯୋଗାଡ଼ କରିବା ସମ୍ଭବ ନ ଥିବାରୁ ସମସ୍ତ ଓଡ଼ିଶାବାସୀଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ତ୍ରିଶିକାଙ୍କ ଅଭିଭାବକ । ଏକ ୧୧ ମାସର ଶିଶୁର ଚିକିତ୍ସା ପାଇଁ ଆବଶ୍ୟକ ଏହି ବିପୁଳ ଅର୍ଥରାଶି ଯୋଗାଡ଼ କରିବାରେ ସହଯୋଗ ମିଳିଲେ, ତ୍ରିଶିକାଙ୍କ ଚିକିତ୍ସା ଆଗକୁ ବଢ଼ିପାରିବ। ତେଣୁ ଝିଅଟିର ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର ।










