ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶିଖରଚଣ୍ଡୀ ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ନବରାତ୍ରୀ ଏବଂ ଶୀତଦିନିଆ ପର୍ଯ୍ୟଟନ ଋତୁ ପୂର୍ବରୁ ଏହି ବୃହତ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଉତ୍ତମ ସୁବିଧା ସୁଯୋଗ ପାଇପାରିବେ। ଏହି ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା କମିଶନର ଶ୍ରୀ ବଲୱନ୍ତ ସିଂହଙ୍କ ସମେତ ବିଭାଗୀୟ ଉଚ୍ଚାଧିକାରୀ, ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମୀକ୍ଷା କାଳରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ, ଯାତାୟାତ ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ, ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପାର୍କିଂ ଓ ବିଶ୍ରାମାଗାର ଭଳି ସମସ୍ତ ମୌଳିକ ସୁବିଧାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଉପରେ ଚର୍ଚ୍ଚା କରାଯାଇଥିଲା। ନବରାତ୍ରୀ ପୂର୍ବରୁ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରି ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା କମିଶନର ଶ୍ରୀ ବଲୱନ୍ତ ସିଂହ ବିଭିନ୍ନ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଓ ସମନ୍ୱୟ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଶିଖରଚଣ୍ଡୀ ମନ୍ଦିରକୁ ଏକ ଆଧ୍ୟାତ୍ମିକ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।










