29.1 C
Bhubaneswar
Wednesday, September 30, 2026
Homeଓଡିଶାଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ

ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ

ଭୁବନେଶ୍ୱର: ବାସ୍ତବ ଜୀବନର ପ୍ରତ୍ୟେକ ସମସ୍ୟା ଭିତରେ ଲୁଚି ରହିଥାଏ ଏକ ନୂଆ ସମ୍ଭାବନା । ତେଣୁ, ଏହାକୁ ଚିହ୍ନଟ କରିବା ସହ ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’।ଭୁବନେଶ୍ୱରସ୍ଥିତ ‘ଓ-ହବ୍‌’ଠାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ, ‘‘ଆମ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭିତରେ ଅନନ୍ୟ ପ୍ରତିଭା ରହିଛି । ଏହାକୁ ଉପସ୍ଥାପନ କରିବା ପାଇଁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଏକ ବଳିଷ୍ଠ ମଞ୍ଚ । ଆଶାୟୀ ନବସୃଜନକାରୀମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ନିଜର ଅଭିନବ ଆଇଡିଆକୁ ନୂତନ ଆକାର ଦେଇ ସମାଜରେ ବିଶେଷ ପରିବର୍ତ୍ତନ ଆଣିପାରିବେ ।’’ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ‘‘ରାଷ୍ଟ୍ର ନିର୍ମାଣରେ ନବସୃଜନକୁ ‘ସେବା’ର ଏକ ମାଧ୍ୟମ ଭାବେ ଉପଯୋଗ କରାଯାଇପାରିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପିତ ବିକଶିତ ଭାରତ ଲକ୍ଷ୍ୟକୁ ଆଗେଇ ନେବାରେ ନବସୃଜନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ।’’ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ‘‘ନବସୃଜନ କେବଳ ବଡ଼ ବଡ଼ ଲାବୋରେଟୋରରୁ ବାହାରେ ନାହିଁ, ଏହା ଗାଁ ଗହଳିରୁ ମଧ୍ୟ ସୃଷ୍ଟି ହୋଇପାରେ । ଚାଷୀ ଭାଇଭଉଣୀ, ସ୍ଥାନୀୟ କାରିଗର, ଛାତ୍ରଛାତ୍ରୀ ଏବଂ ଏସଏଚଜି ମହିଳାଙ୍କ ସୃଜନଶୀଳ ଚିନ୍ତାଧାରାରୁ ଏକ ନୂଆ ବିଚାର ରୂପ ପାଇପାରେ ।’’

କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ତଥା ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ପଣ୍ଡା ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଆଭିମୁଖ୍ୟ ବିଷୟରେ କହିଥିବା ବେଳେ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଏସଏଫଆଇସି (OSFIC) ୱେବ୍ ପୋର୍ଟାଲ୍ ଉନ୍ମୋଚନ କରାଯାଇଥିଲା । ଏଥିସହ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଏମ୍ସ ଭୁବନେଶ୍ୱର, ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ଆସୋଚାମ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ଅଗ୍ରଣୀ ଇନ୍‌କ୍ୟୁବେଟର ଅକ୍ୟୁରେଟ୍‌, ନିଷ୍ଟ, ସିପେଟ୍‌ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଏକକାଳୀନ ପୁଞ୍ଜି ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ ବିଷୟ ରହିଛି । ପ୍ରମୁଖ ସରକାରୀ ଯୋଜନା, ଶିଳ୍ପାନୁଷ୍ଠାନ ଏବଂ ସାଧାରଣ ନାଗରିକଙ୍କଠାରୁ ସଂଗୃହୀତ ସମସ୍ୟାଗୁଡ଼ିକ ଏଥିରେ ସ୍ଥାନ ପାଇଛି । ତା’ ଭିତରେ ଶିକ୍ଷା ଓ ଦକ୍ଷତା ବିକାଶ, କୃଷି, ମତ୍ସ୍ୟ ଓ ପ୍ରାଣିସମ୍ପଦ, ସ୍ୱାସ୍ଥ୍ୟସେବା, ଏମ୍‌ଏସ୍‌ଏମ୍‌ଇ, ଅକ୍ଷୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ଡ୍ରୋନ୍ ଟେକ୍ନୋଲୋଜି ଆଦି କ୍ଷେତ୍ରରୁ ନବସୃଜନର ନୂଆ ସମ୍ଭାବନା ଖୋଜା ଯାଉଛି ।

ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ଓ କଲେଜ ସହିତ ଆଇଟିଆଇ ଏବଂ ପଲିଟେକନିକର ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌ ଓ ଏମଏସଏମଇ ଉଦ୍ୟୋଗୀ, କୁଶଳୀ ଓ ଅର୍ଦ୍ଧ କୁଶଳୀ ଯୁବପିଢ଼ି, କାରିଗର ଓ ପ୍ରଗତିଶୀଳ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଙ୍ଗଠନ, ଏନସିସି, ଏନଏସଏସ, ଏନୱାଇକେଏସ୍‌ ୟୁନିଟ୍‌ ଏବଂ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିପାରିବେ । ତେଣୁ, ଯେଉଁ ଆଗ୍ରହୀ ପ୍ରାର୍ଥୀଙ୍କ ଭିତରେ ଅଭିନବ ତଥା ସୃଜନଶୀଳ ଆଇଡିଆ ଅଛି ସେମାନେ ଷ୍ଟାର୍ଟଅପ୍‌ ଓଡ଼ିଶା ୱେବସାଇଟରେ https://osfic.startupodisha.org/register ପଞ୍ଜୀକରଣ କରି ଏଥିରେ ଅଂଶଗ୍ରହଣ କରିପାରିବେ । ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କରାଯିବ । ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଛଡ଼ା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ନବସୃଜନକାରୀଙ୍କ ଅଭିନବ ଆଇଡିଆକୁ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ମିଳିବ । ୧୦୦ଟି ଶ୍ରେଷ୍ଠ ଆଇଡିଆ ଓ ପ୍ରୋଟୋଟାଇପକୁ ଇନକ୍ୟୁବେସନ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ । ରାଜ୍ୟସ୍ତରୀୟ ଗ୍ରାଣ୍ଡଫିନାଲେରେ ବିଭିନ୍ନ ବର୍ଗରେ ବିଜେତାଙ୍କୁ ଆର୍ଥିକ ପରସ୍କାର ପ୍ରଦାନ ସହ ଚୟନ ହୋଇଥିବା ନବସୃଜନକୁ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking