ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଫୁଟାଇବାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବାଣ ଫୁଟାଇବା ଉପରେ ସାରା ଦେଶରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ସପକ୍ଷରେ କୋର୍ଟ ନଥିବା ସ୍ପଷ୍ଟ କରିଛନ୍ତି। ତେବେ ୨୪ ଘଣ୍ଟା ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୀପାବଳି ଲୋକଙ୍କ ଭାବନା ଓ ପରମ୍ପରା ସହିତ ଜଡ଼ିତ । ତେଣୁ ସାରା ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଲେ କିଛି ଲୋକଙ୍କ ଭାବନା ଆଘାତ ପାଇପାରେ । ଏହି କାରଣରୁ ବାଣ ଫୁଟାଇବା ଓ ପରିବେଶ ସୁରକ୍ଷା ମଧ୍ୟରେ ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି ।ତେବେ ୨୪ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେବା ମଧ୍ୟ ସମ୍ଭବ ନୁହେଁ। କାରଣ ଲଗାତାର ବାଣ ଫୁଟିବା ଦ୍ୱାରା ବୃଦ୍ଧ, ରୋଗୀ ଓ ଛୋଟ ପିଲାମାନେ ସମସ୍ୟାରେ ପଡ଼ିପାରନ୍ତି । ତେଣୁ ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ସହ କେଉଁ ପ୍ରକାରର ବାଣ ବ୍ୟବହାରକୁ ଅନୁମତି ମିଳିବ, ସେନେଇ ସମାଧାନ ବାହାର କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ ।










