ନୂଆଦିଲ୍ଲୀ: ପାକିସ୍ତାନରୁ ଚାଲିଥିବା ଆତଙ୍କବାଦ ଓ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ଆମେରିକାର ମନୋଭାବକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ନିୟୁୟର୍କଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଭାରତ ଉପରେ ବର୍ଷ ବର୍ଷ ଧରି ହେଉଥିବା ଆତଙ୍କବାଦୀ ଆକ୍ରମଣ ଭାରତ ପାଇଁ ସବୁଠାରୁ ବଡ଼ ସମସ୍ୟା। ମାତ୍ର ଆମେରିକା ଭଳି ସହଯୋଗୀ ଦେଶ ଭାରତର ଏହି ସମ୍ବେଦନଶୀଳ ସମସ୍ୟାକୁ ସଠିକ୍ ଭାବେ ନବୁଝିବା କିମ୍ବା ଗୁରୁତ୍ୱ ନଦେବା ଦ୍ୱାରା ଦୁଇ ଦେଶର ବନ୍ଧୁତା ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ୁଛି ।
\ଏହା ସହିତ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି କଠିନ ହେବା ଏବଂ ଆମେରିକାର ନୂଆ ଶୁଳ୍କ (ଟାରିଫ୍) ନୀତି ଯୋଗୁଁ ସମ୍ପର୍କରେ କିଛି ମତଭେଦ ଦେଖାଦେଇଥିବା ସେ ସ୍ୱୀକାର କରିଛନ୍ତି। ଭାରତର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଛୋଟ କାରଖାନାଗୁଡ଼ିକର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଭାରତ ନିଜ ସ୍ଥାପନାରେ କୌଣସି ଆପୋଷ ବୁଝାମଣା କରିନାହିଁ। ତେବେ ବର୍ତ୍ତମାନ ଏହି ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରକାର ସହମତି ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମିଥ୍ୟା ଦାବିର କଡ଼ା ଜବାବ ଦେଇଛନ୍ତି ଜୟଶଙ୍କର। ସେ ପାକିସ୍ତାନକୁ ”କ୍ରମାଗତ ଆତଙ୍କବାଦ ରଚୁଥିବା ଦେଶ” ବୋଲି କହିବା ସହ ଆତଙ୍କବାଦ ଓ ବନ୍ଧୁତା କେବେ ହେଲେ ଏକାଠି ଚାଲିପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ନିଜର ସୁରକ୍ଷା ପାଇଁ ଭାରତ କଠୋର ପଦକ୍ଷେପ ନେବାର ପୂର୍ଣ୍ଣ ଅଧିକାର ରଖିଛି ବୋଲି ସେ ଦୃଢ଼ ଭାବେ କହିଛନ୍ତି।










