ପୁରୀ: ମହାପ୍ରସାଦ ପାଇଁ ଆଉ ଦଲାଲଙ୍କ ଶିକାର ହେବେ ନାହିଁ ଭକ୍ତ। ଭକ୍ତଙ୍କୁ ସହଜରେ ଓ ନିର୍ଦ୍ଧାରିତ ଦରରେ ମହାପ୍ରସାଦ ଯୋଗାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହୋଇପାରେ ନୂଆ ବ୍ୟବସ୍ଥା। ଶ୍ରୀମନ୍ଦିର ବାହାରେ ଉତ୍ତର ଓ ଦକ୍ଷିଣ ଦ୍ୱାର ନିକଟରେ ଖୋଲାଯିବ ଟୋକନ୍ କାଉଣ୍ଟର।
ମହାପ୍ରସାଦ ନେବାକୁ ଇଚ୍ଛୁକ ଭକ୍ତମାନେ ପ୍ରଥମେ ଟୋକନ୍ କାଟିବେ। ଏହାପରେ ଟୋକନ୍ କାଉଣ୍ଟରରେ ଧାର୍ଯ୍ୟ ଦର ଦେଇ ମହାପ୍ରସାଦ କିଣିପାରିବେ। ଏହା ଦ୍ୱାରା ଭକ୍ତଙ୍କୁ ମହାପ୍ରସାଦ ପାଇଁ ଦଲାଲଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଇନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା କାର୍ତ୍ତିକ ମାସ ପୂର୍ବରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଯୋଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି।
ନୂଆ ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିର ଭିତରକୁ ନଯାଇ ମଧ୍ୟ ଭକ୍ତମାନେ ଟୋକନ୍ ମାଧ୍ୟମରେ ମହାପ୍ରସାଦ ପାଇପାରିବେ। ମହାପ୍ରସାଦର ଦର ମଧ୍ୟ ନିର୍ଦ୍ଧାରିତ ରହିବାର ପ୍ରସ୍ତାବ ରହିଛି। ସୁଆର ମହାସୁଆର ନିଯୋଗର ଏହି ପ୍ରସ୍ତାବକୁ ଭକ୍ତ ଓ ସେବାୟତମାନେ ସ୍ୱାଗତ କରିଛନ୍ତି।










