ନବରଙ୍ଗପୁର : ନବରଙ୍ଗପୁରକୁ ଆଜି ରେଡ୍ ୱାର୍ଣ୍ଣିଂ । ଜିଲ୍ଲାରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୪୭୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଉପୁଜିନାହିଁ । ତଥାପି ଆଗକୁ ବର୍ଷା ବଢ଼ିଲେ ସ୍ଥିତି ବଦଳିପାରେ ।ନବରଙ୍ଗପୁରର ବିଭିନ୍ନ ସ୍ଥାନରେ କେଉଁଠି ଝିପିଝିପି ତ ଆଉ କେଉଁଠି ତୁହାକୁ ତୁହା ବର୍ଷା ହେଉଛି । ଏପଟେ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ ନମ୍ବର ୬ରୁ ପାଣି ନିଷ୍କାସିତ ହେଉଛି । ତେବେ ଇନ୍ଫ୍ଲୋ ଓ ଆଉଟ୍ଫ୍ଲୋ ସମାନ ରହୁଥିବାରୁ ଅଧିକ ଗେଟ୍ ଖୋଲିବା ଭଳି ପରିସ୍ଥିତି ଏଯାଏଁ ଉପୁଜିନାହିଁ । ଏନେଇ କୋଲାବ-ଇନ୍ଦ୍ରାବତୀ ବେସିନ୍ କାର୍ଯ୍ୟାଳୟର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାର ବନ୍ୟା ପ୍ରବଣ କୋଷାଗୁମୁଡ଼ା ବ୍ଲକରେ ମଧ୍ୟ ଏବେ ବନ୍ୟା ଭଳି ସ୍ଥିତି ନାହିଁ । କିନ୍ତୁ ପ୍ରଶାସନ ସତର୍କ ରହିଛି ।










