26.1 C
Bhubaneswar
Wednesday, September 23, 2026
Homeଓଡିଶାକପିଳାସରେ ଯୁବତୀ ଯୁବକଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ; ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ 
ସରକାର ବିଫଳ:...

କପିଳାସରେ ଯୁବତୀ ଯୁବକଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ; ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ 
ସରକାର ବିଫଳ: ବିଜେଡି

ଭୁବନେଶ୍ୱର : ବିହାରରେ ଜଣେ ମହିଳାଙ୍କ ଉପରେ ଯୌନ ପିପାସୁ ମାନଙ୍କ ନିର୍ଯାତନା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହାର ଗୋଟିଏ ଦିନ ପରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ଉପରେ ସମାନ ଘଟଣା ଘଟିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଓଡ଼ିଶାରେ ମହିଳା ନିର୍ଯାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଛି ଓ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଛି, ଯାହା ରାଜ୍ୟ ପାଇଁ ଲଜ୍ଜାଜନକ ବିଷୟ ବୋଲି ବିଜେଡି କହିବା ସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଓ ପୂର୍ବତନ ରାଜ୍ୟ ମହିଳା କମିଶନର ଶ୍ରୀମତୀ ମିନତୀ ବେହେରା ରାଜ୍ୟରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ବିହାରରେ ଜଣେ ମହିଳାଙ୍କ ସହିତ ଯୌନ ନିର୍ଯାତନା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହେବାର ଗୋଟିଏ ଦିନ ପରେ କପିଳାସ ଠାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଯେପରି ଭାବେ ନିର୍ଯାତନା ଦିଆଗଲା, ତାହା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । କପିଳାସ ଏକ ପର୍ଯ୍ୟଟନସ୍ଥଳୀ ଓ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି । ଏଠାରେ ଏଭଳି ଘଟଣା ଘଟିବା ରାଜ୍ୟ ପାଇଁ ଲଜ୍ଜାଜନକ । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଅହେତୁକ ବୃଦ୍ଧି ପାଇଛି ।

ବିଶେଷକରି ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ନିୟମିତ ବ୍ୟବଧାନରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟି ଚାଲିଛି । ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ଘଟଣା ପରେ ଆମେରିକା ଏକ ଆଡ଼ଭାଇଜରି ଜାରି କରି ତାଙ୍କ ଦେଶର ମହିଳା ମାନଙ୍କୁ ଓଡିଶା ଆସିବା ପାଇଁ ବାରଣ କରିଥିଲା । ଏହି ଘଟଣା ରାଜ୍ୟକୁ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ କରିଥଲା । ଏହାସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କର ଚୈତନ୍ୟ ଉଦୟ ହୋଇନଥିଲା । ଏହି ଘଟଣା ପରେ, ବାଲି ହରଚଣ୍ଡୀ, ଧଉଳି, ରାୟଗଡା ଇତ୍ୟାଦିରେ ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ଭଳି ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ କପିଳାସରେ ମଧ୍ୟ ସମାନ ଘଟଣା ଘଟିଛି । ନିଜକୁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ସରକାର ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦିଅନ୍ତୁ ।ଶ୍ରୀମତୀ ମନୋରମା ମହାନ୍ତି କହିଥିଲେ ଯେ, ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଓ ମହିଳାଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ରାଜ୍ୟରେ ମହିଳା ସୁରକ୍ଷା ଏପରି ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ଯେ, ପରିବାରର ଝିଅଟିଏ କୌଣସି କାରଣରୁ ଏକୁଟିଆ ବାହାରକୁ ଗଲେ, ସେ ଘରକୁ ନ ଫେରିବା ପର୍ଯ୍ୟନ୍ତ ପରିବାରର ସଦସ୍ୟ ମାନେ ଆତଙ୍କିତ ହୋଇ ରହୁଛନ୍ତି । ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଗାଦି ଛାଡ଼ନ୍ତୁ ।

ଶ୍ରୀମତୀ ମିନତୀ ବେହେରା କହିଥିଲେ ଯେ, ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ନାରୀ ନିର୍ଯାତନା ଘଟଣା ଅହେତୁକ ବୃଦ୍ଧି ପାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଘରୋଇ ହିଂସାରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ନବୀନ ସରକାରଙ୍କ ସମୟରେ ଓଡିଶାର ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨ ବର୍ଷର ବିଜେପି ଶାସନରେ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୨% ହ୍ରାସ ପାଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହେବା କାରଣରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ବିଫଳ ହେଉଥିବାରୁ ରାଜ୍ୟ ଦେଶରେ ଓ ଦେଶ ବାହାରେ ଲଜ୍ଜିତ ଓ ନିନ୍ଦିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking