ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବ୍ଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୋଟିଏ ପରିବାରର ୩ ଜଣ ବାପ, ପୁଅ ଓ ନାତି । ଗୁରୁବାର ରାତି ୮ଟାରେ ତଳସରା ଥାନା ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦ୍ରୁତଗତିରେ ବୋଲେରୋ ଆସି ଗୋଟିଏ ବାଇକକୁ ଧକ୍କା ଦେବା ସହ ଘୋଷାଡ଼ି ନେଇ ନାଳରେ ଖସି ପଡ଼ିଥିଲା । ଏଥିରେ ବାଇକରେ ଥିବା ବାପ,ପୁଅ ଓ ସମ୍ପର୍କୀୟ ନାତି ଗୁରୁତର ଆହତ ହୋଇଥିଲେ ।ଆଜି ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଲେ କିଞ୍ଜିରକେଲା ଥାନା କୁକୁରିଡିହି ଗାଁର ଲିଙ୍ଗେଶ୍ବର ଲାରଙ୍ଗ, ତାଙ୍କର ଏକମାତ୍ର ପୁଅ ସମୀର ଲାରଙ୍ଗ ଓ ସମ୍ପର୍କୀୟ ନାତି। ୩ ଜଣ ଗୋଟିଏ ପଲସର୍ ବାଇକରେ ଆସି ସବଡେଗା- ବାଲିଶଙ୍କରା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରି ରାସ୍ତା ଉପରକୁ ଆସୁଥିଲେ। ଏହି ସମୟରେ ବାଲିଶଙ୍କରା ପଟୁ ଦ୍ରୁତଗତିରେ ଆସୁଥିବା ବୋଲେରୋ ବାଇକକୁ ଜୋରରେ ଧକ୍କା ଦେବା ସହ ଘୋଷାଡ଼ି ନେଇ ପାଖ ନାଳରେ ଖସି ପଡ଼ିଥିଲା ।










