ପୁରୀ: ଷଣ୍ଢ ପାଇଁ ରାତି ଅନିଦ୍ରା ଚାଷୀ। ଆଖି ସାମ୍ନାରେ ଉଜୁଡ଼ି ଯାଉଛି ଚାଷୀର ସୁନାର ଫସଲ । ଯୁଆଡ଼େ ଦେଖିବ ସିଆଡ଼େ ବୁଲା ଗୋରୁ ଗାଈ ଓ ବୁଲା ଷଣ୍ଢଙ୍କ ଅପଦ୍ରବ। କେଉଁଠି ଚାଷୀ ଷଣ୍ଢମାନଙ୍କ ନାମରେ ଥାନାରେ ଅଭିଯୋଗ କଲେଣି ତ କେଉଁଠି ତହସିଲ କାର୍ଯ୍ୟାଳୟରେ ଗୁହାରି କଲେଣି । ଏହି ବୁଲା ଗୋରୁ ଗାଈ ଏବେ ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । କେଉଁଠି ରାତିରେ ବାରହା ପରିବା ଫସଲ ନଷ୍ଟ କରୁଛନ୍ତି ତ କେଉଁଠି ଷଣ୍ଢ ଧାନ ଫସଲକୁ ଦଳି ଚକଟି ଛାରଖାର କରିଦେଉଛନ୍ତି ।ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବଳପୁର, କେତକୀପାଟଣା, ମହୁରା, ରୟଖଣ୍ଡି, ବିଦ୍ୟାଧରପୁର ଏବେ ବଳରାମପୁର ଗଡ଼ ପଞ୍ଚାୟତର ହଜାର ହଜାର ଚାଷୀ ଏବେ ଏହି ସମସ୍ୟାକୁ ନେଇ ଚିନ୍ତାରେ ଶୋଇପାରୁନାହାନ୍ତି । ଫସଲ ବିଲକୁ ଷଣ୍ଢ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଶୀତ-କାକରକୁ ଖାତିର ନକରି ରାତି ଅନିଦ୍ରା ହେଉଛନ୍ତି ଚାଷୀ। ହାତରେ ଟର୍ଚ୍ଚ ଲାଇଟ୍, ବାଡ଼ି-ଠେଙ୍ଗା ଧରି, ମୁଣ୍ଡରେ ଠେକା ଭିଡି ବିଲ ମଝିରେ କୁଡ଼ିଆ କରି ଧାନ ଫସଲକୁ ଜଗି ରହିଛନ୍ତି ମହୁରା ପଞ୍ଚାୟତ ବାଗଲପୁର ଅଞ୍ଚଳର ଚାଷୀ ।










