ଭୁବନେଶ୍ୱର: ୟୁପିଆଇ (UPI) କାରବାର ଉପରେ ଚାର୍ଜ ଲାଗୁ ନିଷ୍ପତ୍ତିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ନିଷ୍ପତ୍ତିକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିଜେଡି ତୀବ୍ର ସମାଲୋଚନା କରିଥିବା ବେଳେ ବିଜେପି ଏହାର ସ୍ପଷ୍ଟୀକରଣ ଦେଇ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି।
ବିଜେଡି ବିଧାୟକ ଅରୁଣ ସାହୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି କହିଛନ୍ତି ଯେ, ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବା ପଛରେ ଆମେରିକୀୟ କମ୍ପାନୀଗୁଡ଼ିକର ସ୍ୱାର୍ଥ ରହିଛି। ବିଦେଶୀ କମ୍ପାନୀମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲାଭରୁ ପଛପଟ ଦ୍ୱାର ଦେଇ ଦଳୀୟ ଚାନ୍ଦା ସଂଗ୍ରହ କରିବାକୁ ବାଟ କଢ଼ାଯାଇଛି। ସରକାର ଭାବୁଛନ୍ତି ଲୋକେ ଏସବୁ ଭୁଲିଯିବେ, କିନ୍ତୁ ଆଜିର ଜନସାଧାରଣ ସବୁକିଛି ମନେ ରଖୁଛନ୍ତି।
ଅନ୍ୟପଟେ ବିଜେଡିର ଅଭିଯୋଗକୁ ଖଣ୍ଡନ କରି ବିଜେପି ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ କେବଳ ସାଧାରଣ ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ୨,୦୦୦ ଟଙ୍କାରୁ ଅଧିକ ବ୍ୟାବସାୟିକ କାରବାର ଉପରେ ୦.୪ ପ୍ରତିଶତ ଚାର୍ଜ ଲାଗିବ, ଯାହା ମାତ୍ର ୪ ପ୍ରତିଶତ କାରବାର ଉପରେ ପ୍ରଭାବ ପକାଇବ। ଏଥିରୁ ୯୬ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ବାଦ୍ ପଡ଼ିବେ ଏବଂ ଏହି ଚାର୍ଜ ଗ୍ରାହକ ନୁହଁ, ବରଂ ବ୍ୟବସାୟୀମାନେ ଦେବେ।ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନୂଆ ନିୟମ ଦ୍ୱାରା ସାଧାରଣ ନାଗରିକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ବଦଳରେ ଦେଶର ଡିଜିଟାଲ୍ ଇକୋ-ସିଷ୍ଟମ୍ ଆହୁରି ସୁଦୃଢ଼ ଓ ମଜଭୁତ ହେବ।










