ପାରାଦୀପ : ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଶେଷକରି ପାରାଦୀପର ସିନେମା ହଲଠାରୁ ଆରମ୍ଭ କରି ବ୍ୟାଙ୍କ ଲେନ୍ ଛକ ଓ ନୂଆବଜାର ହୋଟେଲ ଛକ ପର୍ଯ୍ୟନ୍ତ ସୁଉଚ୍ଚ ମଣ୍ଡପ ନିର୍ମିତ ହୋଇଛି। ଉକ୍ତ ଅଞ୍ଚଳରେ ୧୧ଟି ବଡ଼ ମଣ୍ଡପ ହୋଇଛି। ସେଗୁଡିକ ମଧ୍ୟରେ ଉତ୍କଳ ପୋର୍ଟ ଆଣ୍ଡ ଡକ୍ ୱାର୍କର୍ସ ୟୁନିୟନ, ପୋର୍ଟ ଆଣ୍ଡ ଡକ୍ ମଜଦୁର୍ ୟୁନିୟନ, ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ, ମେରାଇନ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା), ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ପାରାଦୀପ ଟ୍ରକ୍ ମାଲିକ ସଂଘ, ଡମ୍ପର ମାଲିକ ସଂଘ, ଭାରତୀୟ ମଜଦୁର୍ ସଂଘ ଆଦି ମଣ୍ଡପ କରିଛନ୍ତି। ସେଥିମଧ୍ୟରୁ ଦୁଇଟି ବଡ଼ ଆୟୋଜକ ଗତ ୨୦୨୧ ପରଠାରୁ ଆଉ ମଣ୍ଡପ କରୁନାହାଁନ୍ତି। ସେମାନେ ହେଲେ ଜଗତସିଂହପୁର ଜିଲା ଟ୍ରକ୍ ମାଲିକ ସଂଘ ଓ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ଏଥିସହ ମୀନବଜାର, ଦୋଳି, ବିଭିନ୍ନ ଦୋକାନ, ଖାଇବା ଷ୍ଟଲ ଆଦି ହୋଇଛି। ପ୍ରତ୍ୟେକ ମଣ୍ଡପ ନିକଟରେ ସପ୍ତାହ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପାରାଦୀପ ଆଦର୍ଶଥାନା ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।










