ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୧୭ ସେପ୍ଟେମ୍ବର ୨୦୨୬ରେ ୭୬ ବର୍ଷ ପୂରଣ କରିଛନ୍ତି । ୧୩ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଗତ ୧୨ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଗତ ୨୫ ବର୍ଷ ଧରି ନିର୍ବାଚିତ ପ୍ରତିନିଧି ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟର ଭାଡନଗରରୁ ଉତ୍ତର ପ୍ରଦେଶ ବାରାଣସୀ ଯାଏଁ ଏକ ବାଇକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ , ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ବାରଣାସୀରୁ ଭାଡନଗର ପର୍ଯ୍ୟନ୍ତ ଏକ ସମାନ ବାଇକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ମେହସାଣା ଜିଲ୍ଲାର ଭାଡନଗର ଗାଁରେ ଜନ୍ମଗ୍ରହଣ କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉଜ୍ଜୟିନୀର ରାମଘାଟରେ ଆଶୀର୍ବାଦର ଦୀପ ଜଳାଇବେ । ଦଳର ଅଧ୍ୟକ୍ଷ ଭସ୍ମ ଆରତୀରେ ଅଂଶ ଗ୍ରହଣ କରିବେ ଏବଂ ମହାକାଳେଶ୍ୱର ମନ୍ଦିରରେ ପ୍ରାର୍ଥନା କରିବେ । ସେ ରାଷ୍ଟ୍ର ପାଇଁ ଶାନ୍ତି, ସମୃଦ୍ଧି ଏବଂ ସର୍ବାଙ୍ଗୀନ ଗୌରବ ପାଇଁ ପ୍ରାର୍ଥନା କରିବେ । ବିଜେପି ସଭାପତି ନୀତିନ ନବୀନ ଆଜି ଦିଲ୍ଲୀରେ ଦଳୀୟ ମୁଖ୍ୟାଳୟରେ ଏକ ରକ୍ତଦାନ ଶିବିରର ଉଦଘାଟନ କରିବେ । ଏହାପରେ ସେ ମଧ୍ୟପ୍ରଦେଶ ଯିବେ, ଯେଉଁଠାରେ ସେ ଇନ୍ଦୋର ଏବଂ ଉଜ୍ଜୟିନୀରେ ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ସେବା ଦିବସ ଭାବରେ ପାଳନ କରୁଛି । ପ୍ରଧାନମନ୍ତ୍ରୀ ଜନ୍ମଦିନ ଅବସରରେ ସାରା ଦେଶରେ ଏକ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆରମ୍ଭ କରାଯିବ । ବିଜେପି ନେତା କହିଛନ୍ତି ଯେ ସନ୍ଧ୍ୟାରେ ଦେଶର ୭୦୦ରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦଳର ନେତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଅଧୀନରେ ଗୁରୁବାରଠାରୁ ଦେଶବ୍ୟାପୀ ସେବା ଦିବସ ପାଳନ କରିବ ।










