ଭୁବନେଶ୍ୱର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗକୁ ଲଘୁଚାପର ରୂପ ନେବ। ଉତ୍ତର ଥାଇଲାଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା। ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଛି। ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ୧୯ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା କ୍ରମଶଃ ଘନୀଭୂତ ହେବା ସହ, ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆହୁରି ସପ୍ତାହେ ବର୍ଷା ଆଶଙ୍କା ରହିଛି।
ଅନ୍ୟପଟେ ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ଆଶଙ୍କା। ଆଜିଠୁ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ନେଇ ୨୦ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। କାଲି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ , ଅନୁଗୋଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି। ପାଣିପାଗ ବିଭାଗର ଆଳକନ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗିରହିବ। ୨୦ ତାରିଖ ଯାଏଁ ସାରା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।










