ଭୁବନେଶ୍ୱର: ଅଶୁଭ ବୁଧବାର। ଜଳ ନେଲା ଜୀବନ। ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ସାମନାକୁ ଆସିଛି ପାଣିରେ ବୁଡ଼ି ପ୍ରାଣ ହରାଇବାର ଖବର। ଦିଗପହଣ୍ଡି, ଆସିକା, ରାଉରକେଲା, କୋରାପୁଟରୁ ଆସିଛି ହୃଦୟ ବିଦାରକ ଚିତ୍ର। କେଉଁଠି ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କିଏ ପ୍ରାଣ ହରାଇଛି ତ ଆଉ କେଉଁଠି ନଦୀକୁ ଗାଧୋଇବାକୁ ଯିବା ହୋଇଛି କାଳ। ହସଖୁସିରେ ଚଳଚଞ୍ଚଳ ଥିବା କେତେକ ପରିବାର ପାଇଁ ଆଜିର ଦିନଟି ନିମିଷକ ମଧ୍ୟରେ ସବୁଦିନ ପାଇଁ ଅନ୍ଧକାର ଆଣିଦେଇଛି। ଜଳର କରାଳ ରୂପ ଯେ ପରିବାରକୁ କିପରି ଛାରଖାର କରିଦିଏ, ଆଜିର ଘଟଣା ତାହାକୁ ପ୍ରମାଣିତ କରିଛି।
ସେପଟେ ଗଞ୍ଜାମ ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡିରେ ଅଘଟଣ। ଗଜାନନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ କୋଟିନଡ୍ଡା ପଞ୍ଚାୟତ ସିଦ୍ଧିଖଣ୍ଡି କିଛି ଛାତ୍ର ଗାଁ ପୋଖରୀକୁ ଗଜାନନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ମୋରମ ଜେନାଙ୍କ ପୁଅ ସୀତାଂଶୁ ଜେନା ସେମାନଙ୍କ ସହ ପୋଖରୀକୁ ବିସର୍ଜନ ପାଇଁ ଯାଇଥିଲେ। ପୋଖରୀରେ ଗଭୀର ପାଣି ଥିବାରୁ ବୁଡ଼ି ଯାଇଥିଲେ ସୀତାଂଶୁ। ପରିବାର ଲୋକ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ସୁନ୍ଦରଗଡ଼ ଶଙ୍ଖ ନଦୀରେ ବୁଡ଼ି ୩ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ବୀରମିତ୍ରପୁର ରାଏବଗା -ଶଙ୍ଖ ନଦୀରେ ବୁଡ଼ିଗଲେ ୫ ଛାତ୍ରୀ। ୨ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣଙ୍କ ଜୀବନ ଯାଇଛି। ମୃତ ଝିଅମାନଙ୍କ ବୟସ ୮ ରୁ ୧୦ ବର୍ଷ ହେବ। ଓରାମ ସମାଜର କରମ ପୂଜା ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିଲେ ଛାତ୍ରୀ। ହଠାତ୍ ନଦୀରେ ପାଣି ଆସିଯିବାରୁ ୫ଜଣ ଭାସି ଯାଇଥିଲେ। ସ୍ଥାନୀୟ ଲୋକମାନେ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ନାବାଳିକା ମୃତ୍ୟୁ ହୋଇଛି। ଉଦ୍ଧାର ୨ ଛାତ୍ରୀଙ୍କୁ ବୀରମିତ୍ରପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଂଚି ତିନି ମୃତ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସେହିପରି କୋରାପୁଟରେ ପୋଖରୀ ଗାଧୋଇବା ହେଲା କାଳ। ପୋଖରୀରେ ବୁଡ଼ି ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଦଶମନ୍ତପୁର ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ବନ୍ଧରୁ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗାଁରେ ଘଟିଛି ଏଭଳି ଘଟଣା। ମୃତକ ଜଣକ ଲିମ ଦିଶାରୀ ବୋଲି ଜଣାପଡ଼ିଛି।










