ଲସ୍ ଆଞ୍ଜେଲସ୍: ହେଲିକପ୍ଟର ଦୁର୍ଘଟଣାରେ ଆମେରିକାର ଲସ୍ ଆଞ୍ଜେଲସ୍ର ଏକ ପାର୍କିଂ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର ମୁଖପାତ୍ର କ୍ୟାପ୍ଟେନ୍ ବ୍ରାଣ୍ଡନ୍ ସିଲଭରମ୍ୟାନଙ୍କ ଅନୁଯାୟୀ, ହେଲିକପ୍ଟରଟି ଏକ ବଡ଼ କୋଠାର ପାର୍କିଂ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।
ଫଳରେ ପାର୍କିଂ ହୋଇଥିବା ଯାନଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣାରେ ପାର୍କିଂ ସ୍ଥାନରେ ରଖାଯାଇଥିବା ଚାରୋଟି ଗାଡ଼ି ଏବଂ ଦୁଇଟି ଷ୍ଟୋରେଜ୍ କଣ୍ଟେନରରେ ନିଆଁ ଲାଗିଯାଇଥିଲା। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାବରେ ଜଳି ପାଉଁଶରେ ପରିଣତ ହୋଇଯାଇଛି। ଦୁର୍ଘଟଣା ସମୟରେ ହେଲିକପ୍ଟର ଭିତରେ କେତେ ଲୋକ ଥିଲେ ତାହା ନିର୍ଣ୍ଣୟ କରିବା ପାଇଁ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଛନ୍ତି। ଦୁର୍ଘଟଣା ସ୍ଥଳରେ ୫୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ ଏଭିଏସନ୍ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।










