30.1 C
Bhubaneswar
Sunday, September 13, 2026
Homeଓଡିଶାବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ: "ଟାଇଗର ବ୍ରାଇଟ୍" ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ: “ଟାଇଗର ବ୍ରାଇଟ୍” ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

ଭୁବନେଶ୍ୱର: କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛି ଓଡ଼ିଶାର ସ୍ବାଦ । କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି “ଟାଇଗର ବ୍ରାଇଟ୍” (Tiger Bright), ବ୍ରିକ୍ସ ସମ୍ମିଳନୀରେ ଅଭ୍ୟାଗତମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ ଜୀବିକାରେ ଅପାର ସମ୍ଭାବନାକୁ ପ୍ରଦର୍ଶିତ କରୁଛି । କୋରାପୁଟ ପାହାଡ଼ରେ ଉତ୍ପାଦିତ କଫି ପାଇଁ ବଜାର ସୃଷ୍ଟି କରିବା ଥିଲା ଆମର ପ୍ରଥମ ପ୍ରୟାସ । ବର୍ତ୍ତମାନ ଏହି ପ୍ରୟାସ ସଫଳ ହୋଇଛି । “ଭୋକାଲ୍ ଫର୍ ଲୋକାଲ୍” ର ନାରାକୁ ପ୍ରତିଫଳିତ କରି କୋରାପୁଟ କଫି ଏବେ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପାଇଁ ଖ୍ୟାତି ଆଣି ଦେଇଛି ।

କୋରାପୁଟର ଆଦିବାସୀ ସମ୍ପ୍ରଦାୟ ପାଇଁ ‘ଟାଇଗର ବ୍ରାଇଟ୍’ର ଏହି ସଫଳତା କେବଳ ଏକ କଫି ବ୍ରାଣ୍ଡର କାହାଣୀ ନୁହେଁ ବରଂ ଏହା ସେମାନଙ୍କ ପାଇଁ ନୂତନ ସୁଯୋଗ ଆଣି ଦେଇଛି । ଆଞ୍ଚଳିକ ବ୍ରାଣ୍ଡକୁ ଅନ୍ତର୍ଜାତୀୟ ବଜାର ମିଳିଛି । ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଶହ ଶହ ଆଦିବାସୀ ଚାଷୀ ପରିବାରର ପରିଶ୍ରମକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଗ୍ରାମୀଣ ଆଦିବାସୀ ଅଞ୍ଚଳରୁ ସୃଷ୍ଟ ଉତ୍ପାଦଗୁଡ଼ିକ କିପରି ଆଧୁନିକ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବେ, ତାହା ନେଇ ପ୍ରୟାସ ଆରମ୍ଭ ହୋଇଛି ।

କୋରାପୁଟର କଫି ବିଶେଷ କରି ନନ୍ଦପୁର ଏବଂ ମାଛକୁଣ୍ଡ ଅଞ୍ଚଳରେ ଚାଷ କରାଯାଇଥାଏ । ସମୁଦ୍ର ପତ୍ତନରୁ ପ୍ରାୟ ୯୨୦ ରୁ ୯୫୦ ମିଟର ଉଚ୍ଚତାରେ ୧୦୦ ପ୍ରତିଶତ ଆରବିକା କଫି ଚାଷ କରାଯାଇଥାଏ । ଆମ୍ବ, ପଣସ ଏବଂ କମଳା ଜାତୀୟ ଗଛର ପ୍ରାକୃତିକ ଛାଇ ତଳେ କଫି ବଗିଚା ସୃଷ୍ଟି କରାଯାଏ । କଫି ଫଳଗୁଡ଼ିକ ପାଚିବା ପରେ ହାତରେ ତୋଳାଯାଇ ସାବଧାନତାର ସହ ପ୍ରକ୍ରିୟାକରଣ କରାଯାଏ, ଯାହା କୋରାପୁଟ କଫିର ସ୍ୱାଦ ଓ ଗୁଣବତ୍ତାକୁ ବଜାୟ ରଖେ । ଓଡ଼ିଶା ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ (TDCCOL) ର ସମ୍ପୂର୍ଣ୍ଣ ସହଯୋଗରେ କିଣିବା, ଶୁଖାଇବା, ଗ୍ରେଡିଂ, ପ୍ରକ୍ରିୟାକରଣ ଏବଂ ବିପଣନ (marketing) ପ୍ରକ୍ରିୟା ଶେଷ ହେବା ପରେ ଏହା ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ ।
୧୧ ସେପ୍ଟେମ୍ବର ୨୦୧୯ ରେ “କୋରାପୁଟ କଫି” ବ୍ରାଣ୍ଡର ଶୁଭାରମ୍ଭ ହୋଇଥିଲା । ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫି ପାଇଁ ଏକ ସୁବ୍ୟବସ୍ଥିତ ବଜାର ସୃଷ୍ଟି କରିବା ଏବଂ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯାହାଦ୍ୱାରା ଆର୍ଥିକ ଲାଭର ଏକ ବଡ଼ ଅଂଶ ଚାଷୀଙ୍କ ପାଖରେ ପହଞ୍ଚିପାରିବ । ବିଗତ ବର୍ଷଗୁଡ଼ିକରେ, ଉତ୍ପାଦନ, କ୍ରୟ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ଖୁଚୁରା ବିକ୍ରିର ସମ୍ପ୍ରସାରଣ ସହିତ ଏହା ଏକ ବିଶାଳ କଫି ଇକୋସିଷ୍ଟମ୍ ରେ ପରିଣତ ହୋଇଛି ।

ଏହି ପରିବର୍ତ୍ତନର ଆକାର କ୍ରୟ ପରିମାଣରୁ ସ୍ପଷ୍ଟ ଜଣାପଡ଼େ । ୨୦୨୫–୨୬, TDCCOL ରେକର୍ଡ ପରିମାଣର ୧୦୨.୫୪ ମେଟ୍ରିକ ଟନ୍ କଫି ଫଳ କ୍ରୟ କରିଛି, ଯାହା ୨୦୨୨–୨୩ ର ୩୪.୬୮ ମେଟ୍ରିକ ଟନ୍ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ । ୨୦୨୪–୨୫ ରେ ଏହି କ୍ରୟ ପରିମାଣ ୩୪.୪୧ ମେଟ୍ରିକ ଟନ୍ ଥିଲା । ଏହି ଅଭିବୃଦ୍ଧି ଦ୍ୱାରା ପ୍ରାୟ ୩୬୦ ଆଦିବାସୀ ପରିବାର ଲାଭାନ୍ୱିତ ହୋଇଛନ୍ତି । ଏହାଦ୍ବାରା କୋରାପୁଟ ଅଞ୍ଚଳରେ କଫି ଚାଷ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକାର ମାଧ୍ୟମ ପାଲଟିଛି ।

କ୍ରୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ଚାଷୀ-ଅନୁକୂଳ କରିବା ପାଇଁ ପ୍ରୟାସ କରାଯାଇଛି । ନଗଦ କାରବାର ବଦଳରେ ସିଧାସଳଖ ଡିଜିଟାଲ୍ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଆଦିବାସୀ କଫି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୦୭ କୋଟି ଟଙ୍କା TDCCOL ଦ୍ବାରା ପ୍ରଦାନ କରାଯାଇଛି । ଏଥିରେ ୭୧ ଜଣ ଆଦିବାସୀ ମହିଳା ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ୪୫.୭ ପ୍ରତିଶତ କଫି ଚାଷୀ ସ୍ମାର୍ଟ କାର୍ଡ ଆପଣେଇଛନ୍ତି, ଯାହା ଚାଷୀଙ୍କ ପରିଚୟ ଏବଂ ଡିଜିଟାଲ୍ ଟ୍ରାକିଂକୁ ସହଜ କରିଛି ।

‘ଟାଇଗର ବ୍ରାଇଟ୍’, କଫିପ୍ରେମୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ପ୍ରିମିୟମ ଆରବିକା ବ୍ଲେଣ୍ଡରେ ଅରେଞ୍ଜ୍, ଲେମନ୍ ଏବଂ ସ୍ବିଟ୍ ଲାଇମ୍ ଫ୍ଲେଭର୍ ସହ କାରାମେଲ, ଚୋକୋଲେଟ୍ ଏବଂ କୋକୋଆ (cocoa) ସ୍ୱାଦ ଭରି ରହିଛି । ପ୍ରାକୃତିକ ଛାଇରେ ବଢ଼ୁଥିବା ଏବଂ ସ୍ୱଚ୍ଛତା ମାନଦଣ୍ଡ ସହ ପ୍ରକ୍ରିୟାକୃତ ଏହି କଫିକୁ ପାରମ୍ପାରିକ ଭାବେ କାଠ ଖଟ ଉପରେ ରଖି ଖରାରେ ଶୁଖାଯାଏ । ଲାଇଟ୍, ମିଡିୟମ୍ ଏବଂ ଡାର୍କ ରୋଷ୍ଟର ସନ୍ତୁଳିତ ମିଶ୍ରଣ ‘ଟାଇଗର ବ୍ରାଇଟ୍’କୁ ଏକ ସ୍ୱତନ୍ତ୍ର ସ୍ୱାଦ ପ୍ରଦାନ କରେ । ଏହି କଫିର ପ୍ରସିଦ୍ଧି ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ପାଇଛି । କୋରାପୁଟ କଫି ଦୁଇ ଥର ‘ଫାଇନ୍ କପ୍ ଆୱାର୍ଡ’ ଜିତିବା ସହ କଫି ବୋର୍ଡର ‘ଫ୍ଲେଭର ଅଫ୍ ଇଣ୍ଡିଆ ଫାଇନ୍ କପ୍ ୨୦୨୪’ ରେ ଚତୁର୍ଥ ସ୍ଥାନ ହାସଲ କରିଛି । ଏହି ସଫଳତା କୋରାପୁଟକୁ ଏକ ନୂତନ କଫି-ଉତ୍ପାଦନକାରୀ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବାରେ ସାହାଯ୍ୟ କରିଛି ।

ଓଡ଼ିଶା ଏବଂ ଦିଲ୍ଲୀରେ ଆଠଟି କୋରାପୁଟ କଫି ବ୍ରାଣ୍ଡ୍ କାଫେ ପ୍ରତିଷ୍ଠା କରାଯାଇ ବିପଣନ ଏବଂ ଗ୍ରାହକ ସଂଯୋଗ ପାଇଁ ନୂଆ ରାସ୍ତା ଖୋଲାଯାଇଛି । ଆର୍ଥିକ ବର୍ଷ ୨୦୨୩–୨୪ ମଧ୍ୟରେ ଏହି କାଫେଗୁଡ଼ିକରୁ ୧.୬୪ କୋଟି ଟଙ୍କାର ବିକ୍ରି ହୋଇଛି । କାଫେ ସହିତ ଟାଇଗର ବ୍ରାଇଟ୍, ରୋଷ୍ଟେଡ୍ ବିନ୍ସ (roasted beans) ଏବଂ ଇନଷ୍ଟାଣ୍ଟ କଫି ଭଳି ଉତ୍ପାଦ ଗ୍ରାହକଙ୍କ ଆଦୃତି ଲାଭ କରିଛି । ୧୦,୬୩୪ ରୁ ଅଧିକ ‘ଟାଇଗର ବ୍ରାଇଟ୍’ ପ୍ୟାକେଟ୍ ବିକ୍ରି ହେବା ଏହା ଦର୍ଶାଉଛି ଯେ କେବଳ ଏକ କୃଷି ଉତ୍ପାଦ ନୁହେଁ, ବରଂ ଏକ ବ୍ରାଣ୍ଡ୍ ଭାବେ ଏହାର ଚାହିଦା ବୃଦ୍ଧି ପାଇଛି ।

ବ୍ରିକ୍ସ ସମ୍ମିଳନୀରେ ‘ଟାଇଗର ବ୍ରାଇଟ୍’ର ଉପସ୍ଥିତି ଏକ ବିଶେଷ ଗୁରୁତ୍ୱ ବହନ କରୁଛି । ଏହି ସମ୍ମିଳନୀରେ ଉଦୀୟମାନ ଅର୍ଥବ୍ୟବସ୍ଥାର ନେତା, ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇଛନ୍ତି, ଯାହା ବିଶ୍ୱ ଦରବାରରେ ଭାରତର ବିବିଧ ଅର୍ଥନୈତିକ ଓ ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରିବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଛି । ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟର ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କଫିର ଅନ୍ତର୍ଭୁକ୍ତି କେବଳ ଆଞ୍ଚଳିକ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ନୁହେଁ, ବରଂ ଆଦିବାସୀ ଚାଷୀଙ୍କ ପରିଶ୍ରମ, ସ୍ଥାନୀୟ ଉତ୍ପାଦନ, ମୂଲ୍ୟବୃଦ୍ଧି ଏବଂ ଜୀବିକା ସଶକ୍ତିକରଣର ଏକ ସଫଳ କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବାର ଏକ ଅବସର ସୃଷ୍ଟି କରିଛି । କୋରାପୁଟର ମାଟିରେ ଆଦିବାସୀ ଚାଷୀଙ୍କ ଦ୍ବାରା ଉତ୍ପାଦିତ ଏହି କଫି ଏବେ ଓଡ଼ିଶାର ସୀମା ଅତିକ୍ରମ କରି ଭାରତର ବିବିଧତା ଓ ସ୍ଥାନୀୟ ଉଦ୍ୟମର ଏକ ସୁଗନ୍ଧିତ ପ୍ରତୀକ ଭାବେ ବିଶ୍ୱ ମଞ୍ଚରେ ନିଜର ଉପସ୍ଥିତି ଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking