ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି- ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ସୁନା , ରୂପା ଓ ମୂଲ୍ୟବାନ ରତ୍ନର ଗଣତି କାର୍ଯ୍ୟ ଶେଷ ହେବା ପରେ, ସେଗୁଡିକର କୌଣସି ବିବରଣୀ ସାର୍ବଜନୀନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେ ରତ୍ନଭଣ୍ଡାରର ପ୍ରତ୍ୟେକଟି ଅଳଙ୍କାର ଓ ମୂଲ୍ୟବାନ ଦ୍ରବ୍ୟର ଗଣତି ମଣତି କରାଯାଇ ସମସ୍ତ ତଥ୍ୟକୁ ସମ୍ପୁର୍ଣ୍ଣ ଭାବେ ଡିଜିଟାଇଜେସନ କରାଯାଇଛି । ୩ଡି ସ୍କାନିଂ , ହାଇ ରିଜୋଲ୍ୟୁସନ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମାଧ୍ୟମରେ ପ୍ରତ୍ୟେକ ଗହଣାର ଆକାର, ଓଜନ , ଗଠନ ଓ ରତ୍ନର ବିବରଣୀକୁ ଏକ ସୁରକ୍ଷିତ ଡିଜିଟାଲ ଡାଟାବେସରେ ସଂରକ୍ଷିତ କରି ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏବଂ ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ଏହି ସମ୍ପତ୍ତିର ସମ୍ପୁର୍ଣ୍ଣ ତାଲିକା ସାଧାରଣରେ ପ୍ରକାଶ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଗଣତି ପ୍ରକ୍ରିୟା ସମୟରେ ୧୯୭୮ ମସିହାରେ ହୋଇଥିବା ପୁରୁଣା ତାଲିକା ସହ ବର୍ତ୍ତମାନ ଅଳଙ୍କାରଗୁଡିକୁ ମିଳାଯାଇ ଦେଖାଯାଇଛି ।










