29.1 C
Bhubaneswar
Friday, September 11, 2026
Homeଓଡିଶାନୂଆଦିଲ୍ଲୀରେ ଏନ୍ଆଇଡିଏମର ତୃତୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀରେ ଏନ୍ଆଇଡିଏମର ତୃତୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନ୍.ଆଇ.ଡି.ଏମ୍.)ର ପରିଚାଳନା ପରିଷଦର ତୃତୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ର ସଦସ୍ୟ ତଥା ମୁଖ୍ୟ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ର ମହାନିର୍ଦ୍ଦେଶକ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ମହାନିର୍ଦ୍ଦେଶକ, ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀ (ଏଲବିଏସଏନଏଏ) ର ନିର୍ଦ୍ଦେଶକ, ଏନଆଇଡିଏମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନାର ଉଭୟ ଆଭିମୁଖ୍ୟ ଏବଂ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ମୋଦୀ ସରକାର ସମଗ୍ର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି, ‘ଶୂନ୍ୟ କ୍ଷୟକ୍ଷତି’ ର ଲକ୍ଷ୍ୟ ନିର୍ଦ୍ଧାରଣ ସହ ଦେଶକୁ ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ନେଇଛନ୍ତି। ଆମେ ‘ଜିରୋ କ୍ୟାଜୁଆଲିଟି’ ସହିତ ଅନେକ ବିପର୍ଯ୍ୟୟର ମଧ୍ୟ ସଫଳତାର ସହ ମୁକାବିଲା କରିଛୁ, ଯାହା ଏକ ବଡ଼ ସଫଳତା। ଶ୍ରୀ ଶାହ କହିଥିଲେ ଯେ ପୂର୍ବ ବିପର୍ଯ୍ୟୟଗୁଡ଼ିକୁ କେବଳ ରିଲିଫ ଏବଂ ପୁନର୍ବାସ ଦୃଷ୍ଟିକୋଣରୁ ଦେଖାଯାଉଥିଲା। ଆଜି ଆମେ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଏକ ନୂତନ ଯୁଗରେ ପ୍ରବେଶ କରିଛୁ-ବିପଦ ହ୍ରାସ, ଆଗୁଆ ଚେତାବନୀ ବ୍ୟବସ୍ଥା ଏବଂ ‘ଶୂନ୍ୟ କ୍ଷୟକ୍ଷତି’ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ବିପର୍ଯ୍ୟୟ ମୁକାବିଲା ପାଇଁ ‘ସମ୍ପୂର୍ଣ୍ଣ ସରକାର “ଆଭିମୁଖ୍ୟ ଗ୍ରହଣ କରାଯାଇଛି, ସେହିଭଳି ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମକୁ ମଧ୍ୟ ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାର ଆଭିମୁଖ୍ୟରେ ପରିବର୍ତ୍ତନ ସହିତ ପ୍ରଧାନମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସେ କହିଥିଲେ ଯେ ପରିଶେଷରେ ପରିବେଶ ସୁରକ୍ଷା ହେଉଛି ବିପର୍ଯ୍ୟୟ ରୋକିବାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ। ପରିବେଶ ସୁରକ୍ଷା, ବିପଦ ହ୍ରାସ, ନମନୀୟତା ଏବଂ ଏକ ବ୍ୟାପକ ଜାତୀୟ ଦୂରଦୃଷ୍ଟି ଭାରତକୁ ଧୀରେ ଧୀରେ ବିଶ୍ୱ ପାଇଁ ଏକ ମଡେଲ ଭାବରେ ଉଭା ହେବାରେ ସକ୍ଷମ କରୁଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଏକ ସମୟ ଥିଲା ଯେତେବେଳେ ଏନ୍.ଆଇ.ଡି.ଏମ୍ ର ପୂର୍ବବର୍ତ୍ତୀ ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର କୃଷି ଭବନର ଏକ କୋଣରେ ପ୍ରାୟ ନିଷ୍କ୍ରିୟ ଅବସ୍ଥାରେ ପଡ଼ି ରହିଥିଲା। କିନ୍ତୁ ୨୦୦୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହାକୁ ଏକ ନୂଆ ଜୀବନ ଦେବା ଲାଗି ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହି ଅନୁଷ୍ଠାନକୁ ପୁନର୍ଜୀବିତ କରିବାରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦେଶ ସମ୍ମୁଖରେ ଏକ ପରିବର୍ତ୍ତିତ ଏବଂ ସୁଦୃଢ଼ ଭୂମିକା ସହିତ ଏନ୍.ଆଇ.ଡି.ଏମ୍. ଏହାର ବର୍ତ୍ତମାନର ରୂପରେ ଉଭା ହୋଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଉଭୟ ଏନ୍.ଆଇ.ଡି.ଏମ୍. ଏବଂ ଏନ୍.ଡି.ଏମ୍.ଏ. ର ପ୍ରାସଙ୍ଗିକତା ଏବଂ ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ। ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ବିପର୍ଯ୍ୟୟ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥି ସହିତ, ବିଜ୍ଞାନର ନୂତନ ପ୍ରୟୋଗ ଏବଂ ସେଗୁଡ଼ିକର ସମ୍ପ୍ରସାରିତ ଉପଯୋଗ କ୍ଷେତ୍ର କାରଣରୁ ନୂତନ ପ୍ରକାରର ବିପର୍ଯ୍ୟୟ ମଧ୍ୟ ସୃଷ୍ଟି ହୋଇପାରେ। ଏହି ସମସ୍ତ ଦିଗକୁ ଧ୍ୟାନରେ ରଖି, ଦୁଇ ସଂସ୍ଥା ନୀତି ନିର୍ଦ୍ଧାରଣ ଠାରୁ ଆରମ୍ଭ କରି ତାଲିମ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥାନ୍ତି। କେତେକ କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଶ୍ରୀ ଅମିତ ଶାହ ସମସ୍ତ ଅଂଶୀଦାରମାନଙ୍କୁ ଏଜେଣ୍ଡାର କାର୍ଯ୍ୟକାରିତା ପାଇଁ ନିଜ ନିଜ ବିଭାଗରେ ଏକ ଉତ୍ସର୍ଗୀକୃତ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ମୁଖ୍ୟମାନେ ଅତିକମରେ ପ୍ରତି ତିନି ମାସରେ ଥରେ ସେଲ୍ ର ଏକ ସମୀକ୍ଷା ବୈଠକ କରିବା ଉଚିତ ଏବଂ ଏହି ବିଷୟକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ କହିଛନ୍ତି।

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣରେ ଗମ୍ଭୀରତା ସୁନିଶ୍ଚିତ କରାଯିବା ଉଚିତ ଏବଂ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ଯେଉଁମାନେ ପ୍ରକୃତରେ ଏହି ବିଷୟ ପ୍ରତି ପ୍ରତିଶ୍ରୁତିବଦ୍ଧ ସେମାନଙ୍କୁ ପ୍ରାଥମିକତା ଦିଆଯିବା ଉଚିତ।

ସେ କହିଥିଲେ ଯେ ଏନ୍.ଆଇ.ଡି.ଏମ୍. ଏବଂ ଏନ୍.ଡି.ଏମ୍.ଏ. ମିଳିତ ଭାବେ ସମଗ୍ର ଦେଶ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ। ପ୍ରତ୍ୟେକ ପ୍ରକାରର ବିପର୍ଯ୍ୟୟ ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ ଏବଂ ଏହା କିପରି କରାଯିବା ଉଚିତ ସେ ବିଷୟରେ ଏହି ନିର୍ଦ୍ଦେଶାବଳୀଗୁଡ଼ିକ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଉଚିତ। ଶ୍ରୀ ଅମିତ ଶାହ କହିଥିଲେ ପ୍ରତ୍ୟେକ ବିପର୍ଯ୍ୟୟ ପରେ ଏନ୍.ଡି.ଆର୍.ଏଫ୍. ଏବଂ ଏସ୍.ଡି.ଆର୍.ଏଫ୍. ସମେତ ଏନ୍.ଡି.ଏମ୍.ଏ. ଏବଂ ଏନ୍.ଆଇ.ଡି.ଏମ୍. ର ଏକ ମିଳିତ ଦଳ ଗଠନ କରାଯିବା ଉଚିତ। ଏହି ଚାରୋଟି ସଂସ୍ଥା ମିଳିତ ଭାବେ କ୍ଷୟକ୍ଷତିର କାରଣ ଅଧ୍ୟୟନ କରିବା ଉଚିତ ଏବଂ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉଚିତ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଏନ୍.ଆଇ.ଡି.ଏମ୍. ଗବେଷଣା, ନବସୃଜନ, ନୀତି ସହାୟତା, ତାଲିମ ଏବଂ ବିଭାଗୀୟ ସହଯୋଗ ପାଇଁ ଏକ ଜାତୀୟ କେନ୍ଦ୍ର ଭାବେ ଉଭା ହୋଇଛି। ଆମକୁ ଏହି ଚାରୋଟି ସ୍ତମ୍ଭକୁ ଆହୁରି ମଜବୁତ କରିବାକୁ ପଡିବ ଏବଂ ନୂତନ ଦିଗଦର୍ଶନ କରିବାକୁ ପଡିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ବିପର୍ଯ୍ୟୟ ପାଣ୍ଠିର ବଣ୍ଟନ ମଧ୍ୟ ଏକ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ କରାଯିବା ଉଚିତ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍.ଡି.ଆର୍.ଏଫ୍.) ଅଧୀନରେ ଆବଣ୍ଟନ ପ୍ରାୟ ଚାରିଗୁଣ ବୃଦ୍ଧି ପାଇଥିବା ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍.ଡି.ଆର୍.ଏଫ୍.) ଅଧୀନରେ ଆବଣ୍ଟନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି। ଗତ ୧୧ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା ଏକ ବଡ଼ ସଫଳତା। ୨୦ ବର୍ଷ ପରେ ବିପର୍ଯ୍ୟୟ ପରିଚାଳନା ଆଇନରେ ସଂଶୋଧନ କରାଯାଇଥିଲା। ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଧାରଣା ପ୍ରବର୍ତ୍ତନ କରାଯାଇଥିଲା ଏବଂ ଏହିପରି କର୍ତ୍ତୃପକ୍ଷ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଜାତୀୟ ଏବଂ ରାଜ୍ୟ ସ୍ତରରେ ଡିଜିଟାଲ ବିପର୍ଯ୍ୟୟ ଡାଟାବେସ୍ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ.ସି.ଏମ.ସି.)କୁ ବୈଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୧୬ତମ ଅର୍ଥ ଆୟୋଗ ଏହି ଅବଧି ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।

ଶ୍ରୀ ଶାହ କହିଥିଲେ ଯେ ଯେଉଁ ମୋବାଇଲ ଆପ୍ଲିକେସନ ବିକଶିତ ହୋଇଛି, ତାହାକୁ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା ମାଧ୍ୟମରେ ବ୍ୟାପକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଶ୍ରୀ ଶାହ କହିଥିଲେ ଯେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବା ନିଃସନ୍ଦେହରେ ପ୍ରଶଂସନୀୟ, କିନ୍ତୁ ଆମର ପ୍ରାଥମିକତା ଦେଶର ପାଞ୍ଚ ଲକ୍ଷ ଗ୍ରାମ ଉପରେ ଧ୍ୟାନ ଦେବା ଜାରି ରଖିବା ଉଚିତ। ସେ କହିଥିଲେ ଯେ ମୋଦୀ ସରକାରଙ୍କ ଲକ୍ଷ୍ୟ ହେଉଛି ବିପର୍ଯ୍ୟୟ-ପ୍ରତିରୋଧକ ଗ୍ରାମ ଏବଂ ସହର ସୃଷ୍ଟି କରିବା, ଏବଂ ଏହି ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ।ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରତିବର୍ଷ ଏନ୍.ଆଇ.ଡି.ଏମର ଅତି କମରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିବା ଲାଗି ବ୍ୟବସ୍ଥା କରାଯିବା ଉଚିତ, ଯାହାଦ୍ୱାରା ବୈଠକଗୁଡ଼ିକ ଅର୍ଥପୂର୍ଣ୍ଣ ଏବଂ ଫଳପ୍ରଦ ହୋଇପାରିବ ଏବଂ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ। ସେ କହିଥିଲେ ଯେ ଏହି ଅନୁଷ୍ଠାନ ମାଧ୍ୟମରେ ଆମକୁ ଜ୍ଞାନକୁ କ୍ଷମତାରେ, କ୍ଷମତାକୁ ପ୍ରସ୍ତୁତିରେ ଏବଂ ପ୍ରସ୍ତୁତିକୁ ପରିଣାମରେ ପରିବର୍ତ୍ତନ କରିବାକୁ ହେବ, ଯାହାଦ୍ୱାରା ଆମେ ମିଳିତ ଭାବେ ‘ଶୂନ୍ୟ କ୍ଷୟକ୍ଷତି ଲକ୍ଷ୍ୟ ହାସଲ କରିପାରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking