ନୂଆଦିଲ୍ଲୀ: ଫିଲିପାଇନ୍ସର ପାଲାୱାନ୍ ନିକଟରେ ଫେରି ତଥା ଏକ ଛୋଟ ଯାତ୍ରୀବାହୀ ଜାହାଜାରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ । ଜାହାଜରୁ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ସନ୍ଧ୍ୟାରେ ଫିଲିପାଇନ୍ସର ପାଲାୱାନ୍ ପ୍ରଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ କୋରୋନ୍ ନିକଟରେ ଏକ ଯାତ୍ରୀ ଫେରିରେ ନିଆଁ ଲାଗିଥିଲା । ଜାହାଜ M/V ଜୁନ୍ ଆଷ୍ଟର କୋରୋନ୍ ମ୍ୟୁନିସିପାଲିଟିର ବାରାଙ୍ଗେ ମାର୍ସିଲାର ଉତ୍ତର-ପୂର୍ବରେ ପ୍ରାୟ ୧.୨ ନଟିକାଲ୍ ମାଇଲ୍ ଦୂରରେ ଥିବା ଜଳଭାଗରେ ନିଆଁରେ ଜଳିଯାଇଥିଲା ବୋଲି PCG କହିଛି। ଭିଡିଓରେ ଦେଖାଯାଇଛି ଯେ ଜାହାଜଟି ପୁରା ନିଆଁରେ ଘେରି ହୋଇଯାଇଛି । ଜାହାଜରୁ ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ନିଆଁର ଆଲୋକରେ ଜାହାଜ ଉଜ୍ଜଳ ଦିଶୁଥିବା ବେଳେ ଜରୁରୀ ସେବା ଦଳ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ପରେ କୋଷ୍ଟ ଗାର୍ଡ କହିଛି ଯେ ପ୍ରାରମ୍ଭିକ ଭାବେ ପାଞ୍ଚ ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି ଏବଂ ସେମାନଙ୍କୁ ତୀରକୁ ଆଣାଯାଇଛି। ଏଜେନ୍ସି ଦ୍ୱାରା ପ୍ରକାଶିତ ଫଟୋରେ କେତେକ ମୃତଦେହ ବ୍ୟାଗ୍ ଦେଖାଯାଇଛି। ଅତି କମରେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଜାହାଜରେ ୧୧୭ ଜଣ ଯାତ୍ରୀ ଓ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ମେରିନ୍ଟ୍ରାଫିକ୍ର ଜାହାଜ ଟ୍ରାକିଙ୍ଗ୍ ତଥ୍ୟ ଅନୁଯାୟୀ ଜାହାଜ ଜୁନ୍ ଆଷ୍ଟର ମନିଲାରୁ ଯାତ୍ରା ଆରମ୍ଭ କରିଥିଲା।










