ରାୟଗଡ଼ା : ରାୟଗଡ଼ା ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଘଟିଛି ଅଭାବନୀୟ ଘଟଣା । ଜଣେ ପରିବାରର ୫ ଜଣ ସଦସ୍ୟ କୀଟନାଶକ ବିଷ ପିଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ସମସ୍ତ ଦିଗରୁ ନିରାଶ ହେବା ପରେ ପରିବାରର ସଦସ୍ୟମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଜେମାଦେଇପେଣ୍ଠ ଗାଁର ୟାଡ଼ଲା ଗାଙ୍ଗୁଲୁଙ୍କ ପରିବାର ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୩ ଏକର ସରକାରୀ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଏବେ ଅନ୍ୟଜଣେ ଉକ୍ତ ଜମିକୁ ନିଜର ବୋଲି ଦାବି କରୁଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଜମି ବିବାଦର ସମାଧାନ ନହେବାରୁ ପରିବାର ନିରାଶ ଥିବା ଅଭିଯୋଗ ହୋଇଛି । ଘଟଣା ପରେ ପରିବାରର ୫ ଜଣଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।










