ଭୁବନେଶ୍ୱର: ରାଜ୍ୟର ବିକାଶ ମୂଳକ କାର୍ଯ୍ୟ କୁ ଆଗେଇ ନେବା କ୍ଷେତ୍ରରେ ପାଣ୍ଠି ର ଅଭାବ ନାହିଁ I ରାସ୍ତା ଘାଟ ଠାରୁ ଆରମ୍ଭ କରି କୋଠାବାଡ଼ି ଓ ସେତୁ ନିର୍ମାଣ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି I ତେବେ ଯୁଗ ସହିତ ତାଳ ଦେଇ ଆମକୁ ଆଗକୁ ବଢିବାକୁ ପଡିବ I ଏଥିଲାଗି ବିଭିନ୍ନ ବିକଶିତ ଦେଶର ସର୍ବଶ୍ରେଷ୍ଠ ମଡେଲକୁ ଆପଣେଇବାକୁ ପଡିବ I ଆଧୁନିକ ଜ୍ଞାନ କୌଶଳର ସଠିକ ଉପଯୋଗ ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ନିର୍ମାଣ କ୍ଷେତ୍ରରେ ସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ଗୁରୁତ୍ୱ ଦେବା ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ବିଭାଗୀୟ ଅଧିକାରୀ ଓ ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଛନ୍ତି I ଆଜି ଲୋକସେବା ଭବନ ସ୍ଥିତନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧକ୍ଷ୍ୟତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାତୀୟ ରାଜପଥ ପ୍ରକଳ୍ପ ଠାରୁ ଆରମ୍ଭ କରି ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ପ୍ରକଳ୍ପ, ପୁରୀ ଐତିହ୍ୟ ପ୍ରକଳ୍ପ, ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ଇଲିଭେଟେଡ଼ ରାସ୍ତା , ଜୟଦେବ ବିହାର ନନ୍ଦନକାନନ ରାସ୍ତା, ଗୁଣ୍ଡିଚା ମନ୍ଦିର ନବୀକରଣ, ପରିବେଶ ଅନୁକୂଳ କୋଠା ନିର୍ମାଣ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ I
ଏହି ଅବସରେ ମନ୍ତ୍ରୀ କହିଥିଲେ ଯେ ଆମେ ଅନେକ ପ୍ରକଳ୍ପରେ ନୂଆ ଜ୍ଞାନ କୌଶଳର ଉପଯୋଗ କରି ସଫଳତା ପାଇଛେ I ନୂଆ ପଦ୍ଧତି କେବଳ କାର୍ଯ୍ୟକୁ ସହଜ କରେ ନାହିଁ ବରଂ ଶୀଘ୍ର ପରିସମାପ୍ତିରେ ମଧ୍ୟ ସାହାଯ୍ୟ କରେ I ତେଣୁ ଏହି ପଦ୍ଧତିକୁ ଆପଣାଇବା ସହିତ ନିର୍ମାଣର ସ୍ଥାୟୀତ୍ୱ ଓ ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଥିଲେ I ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଯୋଗଦେଇ ରାଜ୍ୟ ସରକାରଙ୍କ ଅଭିମୁଖ୍ୟକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ କିଭଳି ତ୍ୱରିତ ବେଗରେ ଆଗେଇ ନେଇ ହେବ ସେଥିନେଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ I ବୈଠକରେ ଅନ୍ୟ ମାନଙ୍କ ମଧରେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଶିବବ୍ରତ ତରିଆ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ -୧ ଇଂ ନାରାୟଣ ପଟେଲ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ -୨ ଦୀପକ କୁମାର ପାଣିଗ୍ରାହୀ ଏବଂ ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତ ପ୍ରମୁଖ ଯୋଗ ଦେଇଥିଲେ I










