ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଟ୍ରଷ୍ଟରେ ୩ ଜଣ ନୂଆ ସଦସ୍ୟ (ଟ୍ରଷ୍ଟି)ଙ୍କୁ ଶାମିଲ କରାଯାଇଛି। ନୂଆ ସଦସ୍ୟ ଭାବେ ଦିଲ୍ଲୀର ମହେଶ ଭଗଚନ୍ଦକା, ଅଯୋଧ୍ୟାର ମଦନ ମୋହନ ପାଣ୍ଡେ ଏବଂ ଶିକୋହାବାଦର ଉର୍ମିଳା (ନିର୍ମଳା) ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି।
ଅଯୋଧ୍ୟା ସ୍ଥିତ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ବାସଭବନ ‘ମଣିରାମ ଦାସ ଛାଉଣି’ଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ (VHP)ର ଜାତୀୟ ମହାମନ୍ତ୍ରୀ ବି.ଏଲ୍. ବାଂଗଡ଼ାଙ୍କ ସମେତ ଟ୍ରଷ୍ଟର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନୂତନ ଭାବେ ସାମିଲ ହୋଇଥିବା ମହେଶ ଭଗଚନ୍ଦକା ଦିବଂଗତ ଭିଏଚପି ନେତା ଅଶୋକ ସିଂହଲଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି।ଟ୍ରଷ୍ଟର ଶାସନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ପାରଦର୍ଶୀ କରିବା ପାଇଁ ଏହି ନୂଆ ନିଯୁକ୍ତି ଦିଆଯାଇଛି। ଏହାସହ ରାମ ମନ୍ଦିରର ଦୈନନ୍ଦିନ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ଜଣେ ମୁଖ୍ୟ ନିର୍ବାହୀ ଅଧିକାରୀ (CEO)ଙ୍କ ନାମ ମଧ୍ୟ ଘୋଷଣା କରାଯିବ।










