ବିସ୍କେକ୍: କିର୍ଗିଜସ୍ଥାନର ବିସ୍କେକଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରୁ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଏସ୍ସିଓ ନେତାମାନଙ୍କ ଗ୍ରୁପ୍ ଫଟୋରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସମେତ କେତେକ ନେତାଙ୍କୁ କ୍ରପ୍ କରି ବାଦ୍ ଦିଆଯାଇଛି। ପାକିସ୍ତାନ ପିଏମ୍ଓ ପକ୍ଷରୁ ସେୟାର କରାଯାଇଥିବା ଫଟୋକୁ ଏପରି ଭାବେ କ୍ରପ୍ କରାଯାଇଛି ଯେ ଏହାର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସମସ୍ତ ନେତାଙ୍କ ମଝିରେ ରହିଛନ୍ତି। ପାକିସ୍ତାନ ଏପରି କାର୍ଯ୍ୟ କରି ନିଜର ହୀନମନ୍ୟତାର ପରିଚୟ ଦେଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସମ୍ପୂର୍ଣ୍ଣ ଗ୍ରୁପ୍ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହିତ ସମସ୍ତ ୧୦ ସଦସ୍ୟ ଦେଶର ନେତାମାନେ ଉପସ୍ଥିତ ଅଛନ୍ତି। ପାକିସ୍ତାନ ପିଏମଓର ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ (ୟୁଜର) ଏହାକୁ ପାକିସ୍ତାନର ‘ପିଲାଳିଆମି’ ଆଚରଣ ବୋଲି କହିଛନ୍ତି। ସମାାଲୋଚନା ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଫଟୋ ସେୟାର କରିବାକୁ ବାଧ୍ୟ ହୋଇଥିଲେ।










