ନୂଆପଡ଼ା: ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିସହ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି।ଆଶା କର୍ମୀମାନେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ପ୍ରମୁଖ ଓ ପ୍ରାଥମିକ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଦୈନିକ ୨୫୦ ଟଙ୍କା ହିସାବରେ ମାସିକ ୭,୨୫୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।ତେବେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆଶା କର୍ମୀଙ୍କ ପାଇଁ ଫଣ୍ଡ ଆସି ନଥିବା ଦର୍ଶାଇ ୬ ମାସ ଧରି ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ ହୋଇଛି। ବର୍ତ୍ତମାନ ନୂତନ ଭାବେ ଯୋଗଦାନ କରିଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡିଡି କ୍ଷମତା ପ୍ରଦାନ କରାଯାଇ ନଥିବାରୁ ଆର୍ଥିକ ସହାୟତା ପ୍ରଦାନରେ ଅଧିକ ବିଳମ୍ବ ହୋଇଥିବା ଜଣାପଡ଼ିଛି।










