ନୂଆଦିଲ୍ଲୀ: ବନ୍ୟା ବିପନ୍ନଙ୍କ ପାଇଁ ପୁଣି ଦେବଦୂତ ସାଜିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ କାଠମାଣ୍ଡୁରେ ପହଞ୍ଚିଛନ୍ତି ସୋନୁ ସୁଦ୍ । ତାଙ୍କ ସଂସ୍ଥା ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ର ଟିମ୍ ଭାରତରୁ କମ୍ବଳ, ରାସନ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ନେଇ ନେପାଳରେ ପହଞ୍ଚିଛି । ସୋନୁ ସୁଦ୍ ନିଜେ ବନ୍ୟା ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ଆବଶ୍ୟକତା ବୁଝୁଛନ୍ତି । ଏହି ସଙ୍କଟ ସମୟରେ ଆବଶ୍ୟକତାରେ ଥିବା ଲୋକଙ୍କ ସହ ଛିଡ଼ା ହେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ସୋନୁ । କେବଳ ତୁରନ୍ତ ରିଲିଫ୍ ନୁହେଁ, ଆଗାମୀ ଅନେକ ମାସ ପର୍ଯ୍ୟନ୍ତ ବିପନ୍ନ ପରିବାରଙ୍କୁ ସହାୟତା ଜାରି ରଖିବାକୁ ତାଙ୍କ ଫାଉଣ୍ଡେସନ୍ ଯୋଜନା କରିଛି ।
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ପ୍ରାଣ ହରାଇଥିବା ବେଳେ, ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ବିଭିନ୍ନ ଜିଲ୍ଲାରେ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋନୁ ସୁଦଙ୍କ ସମାଜସେବାର ଏହା ପ୍ରଥମ ଉଦାହରଣ ନୁହେଁ । କୋଭିଡ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାଠାରୁ ଆରମ୍ଭ କରି, ଅକ୍ସିଜେନ୍ ଯୋଗାଣ, ମେଡିକାଲ୍ ସହାୟତା ଏବଂ ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପର୍ଯ୍ୟନ୍ତ, ସେ ଲଗାତାର ଲୋକଙ୍କ ପାଇଁ କାମ କରିଆସୁଛନ୍ତି ।










