ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତ କ୍ରମରେ ବିସକେକରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗଦେବା ଅବସରରେ ଏକ ସେଲଫି-ଶୈଳୀ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ଏହି ନିବେଦନ କରିଛନ୍ତି । ଦେଶ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବାରୁ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ ”ସ୍ୱଦେଶୀ” ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଅସ୍ଥିରତା, ଯୁଦ୍ଧ ଓ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶ ଭିତରେ କିଛି ନିରାଶାବାଦୀ ଲୋକ ” ମିଛର ପ୍ରତିଧ୍ୱନି” ସୃଷ୍ଟି କରୁଥିଲେ ବି ୧୪୦ କୋଟି ଭାରତୀୟଙ୍ ପରିଶ୍ରମ ଓ ସଠିକ୍ ସରକାରୀ ନୀତି ଯୋଗୁଁ ଦେଶ ନୂଆ ଉଚ୍ଚତା ଛୁଉଁଛି। ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ଆଗାମୀ ପିଢ଼ିକୁ ଏକ ବିକଶିତ ଭାରତ ଭେଟି ଦେବା ପାଇଁ ସ୍ୱଦେଶୀ ସାମଗ୍ରୀର ବ୍ୟବହାର ଓ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ଜରୁରୀ ବୋଲି ସେ ଦୋହରାଇଛନ୍ତି।









