କେନ୍ଦୁଝର : ଲାଞ୍ଚ ନେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହାତରେ ଗତକାଲି ଧରାପଡିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ ସୁନା ଜବତ ହୋଇଛି । ତାଙ୍କର ସରକାରୀ କ୍ୱାର୍ଟରରୁ ଏହା ଜବତ କରାଯାଇଛି । ଜଣେ ବିଦ୍ୟୁତ ଠିକାଦାର ନିକଟରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଥିଲେ ।
ଅଭିଯୋଗ ଅନୁସାରେ , ଠିକାଦାରଙ୍କ କମ୍ପାନୀରୁ ଟିପିଏନଓଡିଏଲର ବୈଦ୍ୟୁତିକ କାମ ପ୍ରଦାନ ହୋଇଥିଲା । ଏହି କାମରେ ଶ୍ରମିକଙ୍କୁ ନିଯୁକ୍ତି କରିବାକୁ ଶ୍ରମ ବିଭାଗ ନିକଟରୁ ଅନୁମତି ନେବାକୁ ପଡିଥାଏ । ଏଥିପାଇଁ ସେ ୧୪ ଅଗଷ୍ଟରେ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ୧୬ ତାରିଖରେ ସେ ଆବେଦନର ଅଗ୍ରଗତି ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀଙ୍କୁ ପଚାରିଥିଲେ । ତେବେ ଅନୁମତି ପତ୍ର ଦେବା ନିମନ୍ତେ ଶ୍ରମ ଅଧିକାରୀ ବିଷୋୟୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଟିମ ଉକ୍ତ ଶ୍ରମ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରିଥିଲା । ଗତକାଲି ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିବା ବେଳେ ରହିଥିବା ଭିଜିଲାନ୍ସ ଟିମ ମାଡିବସିଥିଲା । ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି ଏହାପରେ ଆୟ ବହିର୍ଭୂତ ସମ୍ପତି ଠୁଳ ଆଶଙ୍କାରେ ଶ୍ରମ ଅଧିକାରୀଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରାଯାଇଛି । ଏହି ଦୁର୍ନୀତି ନିବାରଣରେ ମାମଲା ରୁଜୁ ହୋଇଛି । ଲାଞ୍ଚ ନେବା ମାମଲାରେ ଶ୍ରମ ଅଧିକାରୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।









