ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୭ ତମ “ମନ୍ କି ବାତ୍” ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । “ମନ୍ କି ବାତ୍”ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଦେଶଭକ୍ତି, ରାଷ୍ଟ୍ରଭକ୍ତି, ଜାତୀୟତାବାଦ ଏବଂ ଅଗଷ୍ଟ ମାସରେ କ୍ରାନ୍ତି ଦିବସଠାରୁ ବିଭାଜନ ବିଭୀଷିକା ବିଷୟରେ ଆଲୋକପାତ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଭାରତବର୍ଷର ଲୋକଙ୍କ ମଧ୍ୟରେ କିପରି ଜାତୀୟତାବାଦ ଉଦ୍ରେକ ହୋଇଛି ଏବଂ ତିରଙ୍ଗା ଯାତ୍ରା କିପରି ରେକର୍ଡ ସୃଷ୍ଟି କରିଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି । ଏଥର ୮କୋଟିରୁ ଊର୍ଦ୍ଧ୍ୱ ଲୋକ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ ଭାଗନେଇ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଆଜି ବିପ୍ଲବରେ ପରିଣତ ହୋଇଛି ଏବଂ ଲୋକଙ୍କ ଭିତରେ ଜାଗରଣ ବଢ଼ାଇପାରିଛି ବୋଲି ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଳକାଟି ମଣ୍ଡଳର ୯୬ ନମ୍ବର ବୁଥ୍ରେ “ମନ୍ କି ବାତ୍” କାର୍ଯ୍ୟକ୍ରମ ଶୁଣିବା ପରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପୁଣି ଥରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାର କଥା କହିଛନ୍ତି । ସମ୍ବଲପୁର ଡେବ୍ରୀଗଡ଼ର ମୈଥେଲୀ ଭୁଏ କିପରି ଜଙ୍ଗଲ ସୁରକ୍ଷା କରି ରୋଜଗାରର ନୂଆ ବାଟ ଦେଖାଇଛନ୍ତି ତାହା ପ୍ରଶଂସନୀୟ । ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ପୂଜା ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ପୁଣି ଥରେ ‘ଭୋକାଲ ଫର ଲୋକାଲ’କୁ ପ୍ରୋତ୍ସାହିତ କରିବା ପାଇଁ ମୋଦିଜୀ ଆହ୍ୱାନ ଦେଇଛନ୍ତି । ପିଏମ୍ ସ୍ୱନିଧି ଯୋଜନାରେ ୪୫%(୩୫ ଲକ୍ଷ) ହେଉଛନ୍ତି ମହିଳା । ଏହା ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନରେ ମହିଳାଙ୍କ ଭୂମିକାର ଗୁରୁତ୍ୱ ବହନକୁ ଦର୍ଶାଉଛି । ନିଶାମୁକ୍ତ ଭାରତ ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଏକ ମଜ୍ବୁତ ଭବିଷ୍ୟତ ଗଠନ କରିବା ପାଇଁ ଏକାଠି ହେବାକୁ ମୋଦିଜୀ ଆହ୍ୱାନ ଦେଇଛନ୍ତି । ଏପରି ବିଭିନ୍ନ ପ୍ରସଙ୍ଗରେ ସେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିବା ସହ ସାଧାରଣ ଲୋକଙ୍କୁ ତାଙ୍କର ଅସାଧାରଣ କୃତିତ୍ୱ, ବ୍ୟକ୍ତିତ୍ୱ ବିଷୟରେ ଜଣାଇ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛନ୍ତି । ସ୍ଥାନୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣି ତାହାକୁ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିଛନ୍ତି । “ମନ୍ କି ବାତ୍” କାର୍ଯ୍ୟକ୍ରମ ୧୪୦ କୋଟି ଜନସାଧାରଣ ମଧ୍ୟରେ ଆଜି ଆନ୍ଦୋଳନରେ ପରିଣତ ହୋଇଛି । ଲୋକଙ୍କ ମଧ୍ୟରେ ନିଜେ କିଛି କରିବା ପାଇଁ ଆଗ୍ରହ ବଢ଼ାଇଛି, ଯାହା ବିକିଶିତ ଭାରତ ଦିଗରେ ବହୁତ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବୁଥ୍ ସଭାପତି ଶ୍ରୀ ବୈରାଗୀ ଖଟେଇ, ଶକ୍ତିକେନ୍ଦ୍ର ସଭାପତି ସୁଦର୍ଶନ ଜେନା, ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦିକା ଝିଲି ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ଗଣମାଧ୍ୟମ ବିଭାଗ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ, ଆଇଟି ସେଲ୍ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ନାୟକ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାସ ଜେନା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।










