ଭୁବନେଶ୍ୱର : ସୁବର୍ଣ୍ଣରେଖାରେ ପୁଣି ବନ୍ୟା ଭୟ। ଲଗାଣ ବର୍ଷାରୁ ବଢିଚାଲିଛି ନଦୀର ଜଳସ୍ତର। ଦ୍ବିତୀୟ ବନ୍ୟା ଯିବାର ୧୪ ଦିନ ପୂରିନି ପୁଣି ତୃତୀୟ ବନ୍ୟା ଆଶଙ୍କା ଦେଖାଦେଲାଣି। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜର ୬ଟି ଗେଟ୍ ଖୋଲାଯାଇଥିବାରୁ ନଦୀର ଜଳସ୍ତର ପୁଣି ବଢ଼ିଚାଲିଛି। ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ପୁଣି ଜଳମଗ୍ନ ହୋଇପାରେ। ଗତ ବନ୍ୟାରେ ଅନେକ ଗାଁ, ରାସ୍ତା ଓ ଚାଷଜମି ପାଣି ଘେରରେ ରହିଥିଲା। ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା। ଏବେ ପାଣି କମିବା ଆରମ୍ଭ କରିଥିବା ବେଳେ ପୁଣି ନୂଆ ବନ୍ୟା ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସୁବର୍ଣ୍ଣରେଖା ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୮. ୮୪ ମିଟର ରହିଛି। ଗୋଟିଏ ବନ୍ୟାର ପାଣି ସମ୍ପୂର୍ଣ୍ଣ ହଟିନଥିବା ବେଳେ ପୁଣି ଲୋକଙ୍କୁ ଘାରିଛି ଆଉ ଏକ ବନ୍ୟା ଭୟ। ଗୋଟିଏ ବନ୍ୟା କ୍ଷତିରୁ ଚାଷୀ ସଳଖ ହୋଇ ଛିଡ଼ା ହୋଇପାରିନଥିବାବେଳେ ପୁଣି ବନ୍ୟା ଆସିଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ। ପୁଣି ବନ୍ୟା ଆସିଲେ ଘରଦ୍ୱାର, ରାସ୍ତାଘାଟ ଏବଂ ଚାଷଜମି ପ୍ରଭାବିତ ହେବା ଆଶଙ୍କା ରହିଛି। ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକେ ଏବେଠାରୁ ସତର୍କ ହୋଇଛନ୍ତି।










