ମାଲକାନଗିରି : ମାଲକାନଗିରିରେ ଗଞ୍ଜେଇ ମାଫିଆଙ୍କ ଉପରେ ପୁଲିସର ବଡ଼ ଚଢ଼ାଉ। ଜଙ୍ଗଲ ଭିତରୁ ଜବତ ହେଲା ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ । କାଲିମେଳା ପୁଲିସକୁ ମିଳିଛି ଏହି ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମଭି-୭୩ ଗାଁ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ ।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିଲେ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏହାକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।ଏବେ ଜବତ ଗଞ୍ଜେଇକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହା ପଛରେ କେଉଁମାନେ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ରାଜ୍ୟକୁ ଚାଲାଣ ହେବାର ଥିଲା ସେନେଇ ଖୋଳତାଡ଼ ଚାଲିଛି। ଅନ୍ୟପଟେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ପୁଲିସ ପକ୍ଷରୁ ଲଗାତାର ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।










