ସଞ୍ଜୟ ବିଶ୍ୱାଳ ହେଲେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ୭ଜଣ ଆଇଏଏସ୍ ଅଫିସର ଓ ୧୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ୨୦୧୫ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେଠାରେ ଥିବା ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାଶ ପଟ୍ଟନାୟକଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିବା ଆଇଏଏସ୍ ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ଆରାଧନା ଦାସଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ କରାଯାଇଛି। ଓବିସି ନିର୍ଦ୍ଦେଶକ ଥିବା ଆଇଏଏସ ଅଧିକାରୀ ଯୁଗଳେଶ୍ୱରୀ ଦାଶଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଅବକାରୀ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଆୟୁଷ ନିର୍ଦ୍ଦେଶକ ଓ ସେଠାରେ ଥିବା ଆଇଏଏସ୍ ଅଞ୍ଜନା ପଣ୍ଡାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ପୂର୍ତ୍ତ ବିଭାଗର ଉପସଚିବ ଆଇଏଏସ୍ ସୁନ୍ଦରମାଧବ ପାଢ଼ୀଙ୍କୁ ଓଡ଼ିଶା ମେରିଟାଇମ୍ ବୋର୍ଡର ସିଇଓ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଓଏସଆରଟିସିର ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଓଏଏସ୍ ଅଫିସରସ୍ତରରେ ମଧ୍ୟ ବଡ଼ଧରଣର ବଦଳି ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ବବିତା ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଲୋକାୟୁକ୍ତରେ ଅତିରିକ୍ତ ସଚିବ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, କଟକ ମହାନଗର ନିଗମର ଅତିରିକ୍ତ କମିଶନର କଳ୍ପତରୁ ବେହେରାଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।
ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସନ୍ତୋଷୀ ସାହୁଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ, ମନସ୍ୱିନୀ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ଯୋଜନା ବିଭାଗର ଅତିରିକ୍ତ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶା ୟୁନିଫାମର୍ଡ ସର୍ଭିସ ଷ୍ଟାଫ ସିଲେକ୍ସନ କମିଶନର ସଚିବ, ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ସେନାପତିଙ୍କୁ ଯୁଗ୍ମ ସଚିବ, କ୍ରୀଡ଼ା ବିଭାଗର ଓଏସଡି ସ୍ୱରୂପାନନ୍ଦ ସାହୁଙ୍କୁ ଉପସଚିବ ଓ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପରେଶ କୁମାର ନାୟକଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି କରଞ୍ଜିଆ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ କରଞ୍ଜିଆ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କୁ ଆଇଟିଡିଏର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବଦଳି ହୋଇଥିବା ସମସ୍ତ ଅଧିକାରୀଙ୍କୁ ୭ ଦିନ ମଧ୍ୟରେ କାର୍ଯ୍ୟମୁକ୍ତ ହୋଇ କୌଣସି ଛୁଟି ନନେଇ ତୁରନ୍ତ ନୂଆ ପଦବୀରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ବିଜ୍ଞପ୍ତି ଜାରି ହେବାର ୭ଦିନ ମଧ୍ୟରେ ଟ୍ରାନଫର ହୋଇଥିବା ଏହି ଅଫିସରମାନଙ୍କୁ ମୁକ୍ତ କରିବାକୁ ସେମାନଙ୍କର ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସମ୍ପୃକ୍ତ ଅଫିସରମାନଙ୍କୁ ସେପ୍େଟମ୍ବର ୧ ଅପରାହ୍ନରୁ କେନ୍ଦ୍ରୀୟ ଭାବେ ମୁକ୍ତ କରାଗଲା ବୋଲି ବିବେଚନା କରାଯିବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି।










