27.1 C
Bhubaneswar
Tuesday, August 25, 2026
Homeଓଡିଶାତିନି ପ୍ରମୁଖ ସଂସ୍ଥା ସହ ବାଲ୍‌ମିର ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ତିନି ପ୍ରମୁଖ ସଂସ୍ଥା ସହ ବାଲ୍‌ମିର ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ବାଲ୍‌ମି)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ବାଲ୍‌ମି ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍)ଙ୍କ ସହ ୩ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଅଧ୍ୟକ୍ଷତା କରିଥିଲେ।

NWA, ସହ MoU:
ଜାତୀୟ ଜଳ ଏକାଡେମୀ ପକ୍ଷରୁ ମୁଖ୍ୟ ଯନ୍ତ୍ରୀ ୱସୀମ ଅଶରଫ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଜଳ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନସ୍ଥ କେନ୍ଦ୍ରୀୟ ଜଳ ଆୟୋଗର ନ୍ୟାସନାଲ ୱାଟର ଏକାଡେମୀ (ଏନ୍‌ଡବ୍ଲ୍ୟୁଏ), ପୁଣେ ସହ ଏହି ସହଯୋଗ ମାଧ୍ୟମରେ ଯୁଗ୍ମ ଓ ଆବଶ୍ୟକତାଭିତ୍ତିକ ପ୍ରଶିକ୍ଷଣ, ଜ୍ଞାନ ଆଦାନ-ପ୍ରଦାନ ଏବଂ ଜଳ ସମ୍ପଦ ପରିଚାଳନାରେ ସମକାଳୀନ ପଦ୍ଧତି ସମ୍ପର୍କରେ ଅଭିଜ୍ଞତା ହାସଲ ଉପରେ ଗୁରୁତ୍ୱ ଦିଆଯିବ। ଏହା ମାଧ୍ୟମରେ ବାଲ୍‌ମି ଏନ୍‌ଡବ୍ଲ୍ୟୁଏର ଜାତୀୟସ୍ତରୀୟ ବିଶେଷଜ୍ଞତା, ବିଶେଷ ପ୍ରଶିକ୍ଷଣ ସମ୍ବଳ ଓ ଶ୍ରେଷ୍ଠ ଅଭ୍ୟାସ ସମ୍ପର୍କିତ ଅଭିଜ୍ଞତାର ଲାଭ ଉଠାଇପାରିବ।

ICAR-IIWM, ସହ MoU:
ଆଇସିଏଆର୍–ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ଭାବେ ଡ. ଏ. ସାରଙ୍ଗୀ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ସହଯୋଗ ମାଧ୍ୟମରେ ଗବେଷଣା, ପ୍ରଯୁକ୍ତି ଓ କ୍ଷେତ୍ରସ୍ତରୀୟ ପ୍ରୟୋଗ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେବ। କୃଷି ଜଳ ପରିଚାଳନା, ଜଳ ବ୍ୟବହାର ଦକ୍ଷତା ଓ ଜଳବାୟୁ-ସହନଶୀଳ ସେଚନ ବ୍ୟବସ୍ଥା ସମ୍ପର୍କିତ ଆଇସିଏଆର୍–ଆଇଆଇଡବ୍ଲ୍ୟୁଏମ୍‌ର ବିଶେଷଜ୍ଞତା ଓ ନବୀନ ପ୍ରଯୁକ୍ତିରୁ ବାଲ୍‌ମି ଲାଭାନ୍ୱିତ ହେବ। ଏଥିରେ ଆଇଓଟି ଓ ସେନ୍ସର୍‌ ଆଧାରିତ ଜଳ ପରିଚାଳନା, ସଠିକ୍‌ ସେଚନ ବ୍ୟବସ୍ଥା ଏବଂ ଡିଜିଟାଲ୍‌ ପ୍ରଯୁକ୍ତିର ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

OCCL ସହ MoU:
ଏହି ସହଯୋଗ ମାଧ୍ୟମରେ ବାଲ୍‌ମିକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ପାଇଁ ଏହାର ଭୌତିକ ଭିତ୍ତିଭୂମିର ଉନ୍ନତି ଓ ସୁଦୃଢ଼ୀକରଣ କରାଯିବ। ଏଥିରେ ପ୍ରଶିକ୍ଷଣ ଓ ଏକାଡେମିକ୍‌ ସୁବିଧା, ହଷ୍ଟେଲ୍‌, ଅଡିଟୋରିୟମ୍‌, ସମ୍ମିଳନୀ କକ୍ଷ ଓ ପାଠାଗାରର ଆଧୁନିକୀକରଣ, ଅଡିଓ-ଭିଜୁଆଲ୍‌ ସୁବିଧା ସମ୍ପନ୍ନ ଶ୍ରେଣୀଗୃହ, ସମଗ୍ର କ୍ୟାମ୍ପସ୍‌ରେ ୱାଇ-ଫାଇ ସଂଯୋଗ ଏବଂ ନୂତନ ୧୦୦-ସିଟ୍‌ ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ଅନ୍ତର୍ଭୁକ୍ତ।

ଏହି ଅବସରରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଇଂ. ଦିଲ୍ଲୀପ କୁମାର ରାଉତ, ସର୍ବୋଚ୍ଚ ଯନ୍ତ୍ରୀ, ଜଳ ସମ୍ପଦ; ଇଂ. ବିଘ୍ନରାଜ ପୁରୋହିତ, ସର୍ବୋଚ୍ଚ ଯନ୍ତ୍ରୀ, ଏସ୍‌ ଆଣ୍ଡ୍‌ ଏମ୍‌; ଇଂ. ନିରଞ୍ଜନ ରାଉତ, ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋକ୍ୟୁରମେଣ୍ଟ ଇଂ. ପୂର୍ଣ୍ଣଚନ୍ଦ୍ର ରଥ, ସର୍ବୋଚ୍ଚ ଯନ୍ତ୍ରୀ, ଆଇଭି; ଇଂ. ଅବିନାଶ ରାଉଳ, ସର୍ବୋଚ୍ଚ ଯନ୍ତ୍ରୀ, ଇଣ୍ଟର ଷ୍ଟେଟ୍‌ସ; ଇଂ. ବୈଜିନାଥ ହେମ୍ବ୍ରମ, ନିର୍ଦ୍ଦେଶକ, ବାଲ୍‌ମି; ଏବଂ ଶ୍ରୀ ସୁବ୍ରତ ନାୟକ, ଅତିରିକ୍ତ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ସହଯୋଗୀ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଶ୍ରୀ ୱସୀମ ଅଶରଫ, ଚିଫ୍‌ ଇଞ୍ଜିନିୟର ଓ ମୁଖ୍ୟ, ଏନ୍‌ଡବ୍ଲ୍ୟୁଏ, ପୁଣେ; ଶ୍ରୀ ଚୈତନ୍ୟ କେ. ଏସ୍‌, ନିର୍ଦ୍ଦେଶକ, ଏନ୍‌ଡବ୍ଲ୍ୟୁଏ; ଡ. ଅର୍ଜମଦତ୍ତ ସାରଙ୍ଗୀ, ନିର୍ଦ୍ଦେଶକ, ଆଇସିଏଆର୍–ଆଇଆଇଡବ୍ଲ୍ୟୁଏମ୍; ଡ. କାଳିକିଙ୍କର ବନ୍ଦୋପାଧ୍ୟାୟ, ପ୍ରିନ୍ସିପାଲ୍‌ ସାଇଣ୍ଟିଷ୍ଟ, ଆଇସିଏଆର୍–ଆଇଆଇଡବ୍ଲ୍ୟୁଏମ୍; ଏବଂ ଇଂ. ଶରତ ଚନ୍ଦ୍ର ଘଡ଼େଇ, ଜେନେରାଲ୍‌ ମ୍ୟାନେଜର୍‌, ଓସିସିଏଲ୍‌ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking