ହାଇଦ୍ରାବାଦ : ଶନିବାର ଅପରାହ୍ନରେ ହାଇଦ୍ରାବାଦର ମାଧପୁର ଅଂଚଳରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠାର ଭଗ୍ନାବଶେଷ ତଳେ ଆଉ କିଛି ଶ୍ରମିକ ଚାପିହୋଇ ରହିଥିବାର ମଧ୍ୟ ଆଶଙ୍କା କରାଯାଉଛି । ମିଳିଥିବା ଖବର ଅନୁଯାୟୀ ଏହି ଅଟ୍ଟାଳିକାଟିର ଟାଇଲ ପକା କାମ ଚାଲିଥିବା ବେଳେ ସେଥିରେ କିଛି ଶ୍ରମିକ ନିୟୋଜିତ ଥିଲେ । ଅପରାହ୍ନରେ ହଠାତ୍ କୋଠାଟି ଭୁଶୁଡି ପଡିବାରୁ ଘଟଣାସ୍ଥଳରେ ହିଁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ମୃତ ଶ୍ରମିକ ଦ୍ୱୟ ହେଲେ ମଧ୍ୟ ପ୍ରଦେଶର ମହବ୍ୱତ ଓ ଉମେଶ । କୋଠାଟି ଭାଙ୍ଗିଯାଇ ନିକଟବର୍ତୀ ଏକ ଆପର୍ଟମେଂଟ ଉପରେ ପଡିବାରୁ, ଉକ୍ତ ଆପାର୍ଟମେଂଟର ମଧ୍ୟ ଆଂଶିକ କ୍ଷତି ଘଟିଛି । ପାଖରେ ଥିବା ଏକ ହୋଟେଲକୁ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ଖାଲି କରିଦେଇଛି । ସହରର କେନ୍ଦ୍ରସ୍ଥଳରେ ଅଚାନକ କୋଠାଟି ଭାଙ୍ଗିପଡିବାରୁ କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଥିଲା ।










