33.1 C
Bhubaneswar
Tuesday, August 25, 2026
Homeଓଡିଶାଏମଏମଡିଆର ସଂଶୋଧନ ବିଲ ରାଜ୍ୟର ସ୍ୱାର୍ଥ ବିରୋଧରେ ଏକ ଷଡଯନ୍ତ୍ର : ବିଜେଡି

ଏମଏମଡିଆର ସଂଶୋଧନ ବିଲ ରାଜ୍ୟର ସ୍ୱାର୍ଥ ବିରୋଧରେ ଏକ ଷଡଯନ୍ତ୍ର : ବିଜେଡି

ଭୁବନେଶ୍ୱର : ଏମଏମଡିଆର ସଂଶୋଧନ ଆକ୍ଟକୁ ନେଇ ବିଜେପି ଉପରେ ବର୍ଷିଛି ବିଜୁ ଜନତା ଦଳ। ଏମଏମଡିଆର ସଂଶୋଧନ ଵିଲ ପାରିତ ହେବା ଦିନଟି ଓଡିଶା ପାଇଁ କଳା ଦିବସ ଥିଲା କାରଣ ଏହି ଵିଲ୍ ମାଧ୍ୟମରେ ଓଡିଶା ଠାରୁ ଅର୍ଥନୈତିକ ସ୍ୱାଧୀନତା ଛଡାଇ ନିଆଯାଇଛି ବୋଲି ବିଜେଡି କହିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଏମଏମଡିଆର ଵିଲ୍ ଓଡ଼ିଶାର ସ୍ୱାର୍ଥ ବିରୋଧୀ।

ଗୌତମବୁଦ୍ଧ ଦାସ କହିଥିଲେ, ଏମଏମଡିଆର ସଂଶୋଧନ ବିଲ୍ ମାଧ୍ୟମରେ ରାଜ୍ୟର ନ୍ୟାର୍ୟ୍ୟ ପ୍ରାପ୍ୟ ଯେତେବେଳେ ଛଡାଇ ନିଆଯାଉଥିଲା, ସେତେବେଳେ ବିଜେପିର ୨୦ ଜଣ ଲୋକସଭା ସଦସ୍ୟ ଓ ୫ ଜଣ ରାଜ୍ୟସଭା ସଦସ୍ୟ ଏହାକୁ ହାତ ଟେକି ସମର୍ଥନ କରିଥିଲେ। ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ବିଜେପିର ସାଂସଦ ମାନେ ନିଜ ପାର୍ଟିର ସ୍ୱାର୍ଥ ପାଇଁ କାର୍ୟ୍ୟକଲେ। ଏହି ସାଂସଦ ମାନଙ୍କ ପାଇଁ ମାଟି ବଡ଼ ନୁହେଁ ବରଂ ପାର୍ଟି ବଡ଼। ଓଡ଼ିଶାର ସ୍ଵାର୍ଥକୁ ବଳି ପକାଇ ଦେବା ପାଇଁ ବିଜେପି ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଏମଏମଡିଆର ମାଧ୍ୟମରେ ଏକ ଷଡଯନ୍ତ୍ର ରଚାଯାଇଥିଲା। ପୁଞ୍ଜିପତି ମାନଙ୍କୁ ଫାଇଦା ଦେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି। ଏହି ଆକ୍ଟ ପାରିତ ହେବା ଯୋଗୁ ଓଡିଶା ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବକେୟା ଆଦାୟ କରିବାରୁ ବଞ୍ଚିତ ହୋଇଛି। ଏହାଛଡା, ଖଣିରେ ଲାଗୁ ହେବାକୁ ଥିବା ଟିକସ ମାଧ୍ୟମରେ ପ୍ରତି ବର୍ଷ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ଓଡିଶା ହରାଇବ। ଦୁର୍ଭାଗ୍ୟର କଥା, ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଜଣେ ବିଜେପି ସାଂସଦ ଏହି ସଂଶୋଧନ ବିଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଓଡ଼ିଶାର ସ୍ୱାର୍ଥକୁ ହାସଲ ପାଇଁ ସେ ଲଢେଇର ଆହ୍ୱାନ ଦେଇଛନ୍ତି। ତେଣୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ।

ଡ. ଲେନିନ ମହାନ୍ତି କହିଥିଲେ, ଖଣି ରାଜସ୍ୱ ଓଡ଼ିଶାର ବିକାଶର କର୍ଣ୍ଣଧାର ହୋଇଥିବା ବେଳେ, ଖଣିରୁ ରାଜ୍ୟକୁ ମିଳିବାକୁ ଥିବା ବିପୁଳ ରାଜସ୍ୱ, ଏମଏମଡିଆର ସଂଶୋଧନ ବିଲ ମାଧ୍ୟମରେ ହାନୀ ହେବାକୁ ଯାଉଛି, ଅଥଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖୁ ନାହାନ୍ତି କାହିଁକି। କେନ୍ଦ୍ର ସରକାର ଚଞ୍ଚକତା କରି ଖଣି ଓ ଖଣି ରହିଥିବା ଜମି ଉପରେ ମଧ୍ୟ ରାଜ୍ୟର କୌଣସି ଅଧିକାର ରହିବ ନାହିଁ ବୋଲି ବ୍ୟବସ୍ଥା କରିଛନ୍ତି। ଏହାଛଡା ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଲଗାଇ ପାରିବ ନାହିଁ। ଏହି କଳା ଆଇନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି। ବିଜେପିର କିଛି ନେତା ଦାବି କରୁଛନ୍ତି, ୨୦୧୫ ମସିହାରେ କେନ୍ଦ୍ର ସରକାର ଏମଏମଡିଆର ଆକ୍ଟରେ ସଂଶୋଧନ ଆଣିବା ପରେ ଓଡ଼ିଶାର ଖଣି ରାଜସ୍ୱ ୫୦୦୦ କୋଟିରୁ ୫୦, ୦୦୦ କୋଟିକୁ ବୃଦ୍ଧି ପାଇଲା। ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ଚେଷ୍ଟା କରୁଥିବା ବିଜେପି ନେତା ମାନେ କହିବେ କି, କେଉଁ କାରଣରୁ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ତୁଳନାରେ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ତାନ ଇତ୍ୟାଦି ରାଜ୍ୟର ୨୦୧୫ ଏମଏମଡିଆର ସଂଶୋଧନ ପରେ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ କାହିଁକି। ସର୍ବୋଚ୍ଚ ନ୍ୟାୟାଳୟର ନଅ ଜଣ ବେଞ୍ଚ ବିଚାରକଙ୍କ ଦ୍ୱାରା ଦିଆଯାଇଥିବା ଅର୍ଡର ଅନୁଯାୟୀ ଝାଡଖଣ୍ଡ ପ୍ରାୟ ୪୫, ୦୦୦ କୋଟି ଟଙ୍କା ଆଦାୟ କରି ପାରିଲା କିନ୍ତୁ ଓଡିଶା ଟଙ୍କାଟିଏ ମଧ୍ୟ ଆଦାୟ କରି ପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଦରକାର। ଏହି ଆଇନ ମାଧ୍ୟମରେ ଓଡିଶା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଜାରି ରଖିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking