27.1 C
Bhubaneswar
Monday, August 24, 2026
Homeଓଡିଶାଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ

ଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି। ଉଦଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପ-କୁଳାଧିପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି, ଚାଷୀଙ୍କ ସ୍ବପ୍ନ ପୁରା କରିବା ପାଇଁ ସରକାର ସଂକଳ୍ପବଦ୍ଧ I ବର୍ତ୍ତମାନ ସମୟରେ ଚାଷୀଙ୍କ ଅଭାବ ପୂରଣ ପାଇଁ ପ୍ରତିଟି ଦିଗରେ ନାନାଦି ଯୋଜନା ଚାଷୀଙ୍କ ସ୍ବପ୍ନ ପୂରଣ ପାଇଁ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି I ଚାଷୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ସାର ମହଜୁଦ ଥିବାରୁ କୌଣସି ଚାଷୀ ବ୍ୟତିବ୍ୟସ୍ତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି I

ସମୃଦ୍ଧ, ସଶକ୍ତ ଓ ଶ୍ରେଷ୍ଠ ଓଡିଶା ଗଠନ ଦିଗରେ ଚାଷ ଓ ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଯୁବଶକ୍ତିକୁ ଆଗେଇ ନେଇ କୃଷି କ୍ଷେତ୍ରରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସମସ୍ତେ ଚେଷ୍ଟା କରିବାକୁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ଅଭିଭାଷଣରେ କହିଛନ୍ତି। ଚାଷୀ ହେଉଛନ୍ତି ବିକଶିତ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ଭାଗ୍ୟ ବିଧାତା I ଏଣୁ ଏ ଦିଗରେ ଓୟୁଏଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଚାଷୀଙ୍କୁ ସହଯୋଗ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି I

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ବିଶ୍ୱବିଦ୍ୟାଳୟରେ ନବସୃଜନକୁ ଗୁରୁତ୍ୱ ଦେବା ଉପରେ ମତ ରଖିଛନ୍ତି I ବୈଜ୍ଞାନିକ ଦୃଷ୍ଟିକୋଣ ଓ ଜଳବାୟୁ ସହନଶୀଳ ଚାଷ କାର୍ଯ୍ୟକୁ ହାତକୁ ନେବାକୁ ଅନୁରୋଧ କରିଛନ୍ତି I ସ୍ମାର୍ଟ ଚାଷ ସହ ମିଶ୍ରିତ ଚାଷକୁ ଆପଣେଇ ସରକାରୀ ଯୋଜନାର ସୁଫଳ ଗ୍ରହଣ କରିବା ଦିଗରେ ମତ ରଖିଛନ୍ତି I ଜୈବପ୍ରଯୁକ୍ତି, ଡ୍ରୋନ୍, ରୋବୋଟିକ୍ସ ଓ ସେନ୍ସର୍‌ ଆଧାରିତ ପ୍ରଯୁକ୍ତି ଭବିଷ୍ୟତର ପ୍ରଯୁକ୍ତିଗତ ଦିଗଦର୍ଶକ ହେବ। ଓଡ଼ିଶାର କୃଷକମାନଙ୍କ ପାଇଁ ଏଭଳି ନୂତନ ପ୍ରଯୁକ୍ତିଗତ ଉଦ୍ଭାବନର ପ୍ରଦର୍ଶନ ଓ ପ୍ରୟୋଗ ନିମନ୍ତେ ଓୟୁଏଟି ଏକ ଜୀବନ୍ତ ପ୍ରୟୋଗଶାଳା ଭାବେ କାର୍ଯ୍ୟ କରୁ ବୋଲି ଶ୍ରୀ ଜାଧବ କହିଛନ୍ତି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟିର ଗୌରବମୟ ଯାତ୍ରାରେ କୃଷି ଶିକ୍ଷା, ଗବେଷଣା, ପ୍ରଯୁକ୍ତି ବିକାଶ ଓ ସମ୍ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବାବଦରେ ମତବ୍ୟକ୍ତ କରିଛନ୍ତି I ଓଡ଼ିଶାର କୃଷି ଓ କୃଷକଙ୍କ ସଶକ୍ତିକରଣରେ ବିଶ୍ୱବିଦ୍ୟାଳୟ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛି। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ନିଜର ସଫଳତାକୁ ସ୍ମରଣ କରିବା ସହ ଭବିଷ୍ୟତରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନୂତନ ଦିଗନ୍ତ ସୃଷ୍ଟି କରିବାର ସଂକଳ୍ପ ନେବ ବୋଲି ପ୍ରଫେସର ରାଉଳ କହିଛନ୍ତି ।

ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନଙ୍କ ଦ୍ୱାରା ଓୟୁଏଟି ପକ୍ଷରୁ ବିଭିନ୍ନ ବିଷୟରେ ୩୭ଟି ପ୍ରକାଶନ ଉନ୍ମୋଚନ ହୋଇଛି I ବିଶ୍ୱବିଦ୍ୟାଳୟର ଏମ୍‌ଆଇଏସ୍‌ ଏବଂ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ ସହ ନୂତନ ଭିତ୍ତିଭୂମି ବିଦ୍ୟାର୍ଥୀ ଭବନ, ଉଦ୍ୟମିତା ଭବନ, ଭୁବନେଶ୍ୱରୀ ଛାତ୍ରୀ ନିବାସ, ପଶୁ ଚିକିତ୍ସା ପରିସରକୁ ଆଭାସୀ ମାଧ୍ୟମରେ ଉଦଘାଟନ ମଧ୍ୟ କରାଯାଇଛି। ଏହା ସହ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୩୩ ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଚମତ୍କାର ସଫଳତା ପାଇଁ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। କୃଷି ମହାବିଦ୍ୟାଳୟ, ଭବାନୀପାଟଣାର ଛାତ୍ରୀ ସମୀକ୍ଷା ପାଳଙ୍କୁ ଶ୍ରେଷ୍ଠ ସ୍ନାତକ ଏବଂ ପ୍ରତୀକ ରଥଙ୍କୁ ଶ୍ରେଷ୍ଠ ପୁରୁଷ ସ୍ନାତକ ଭାବେ ସମ୍ମାନିତ କରାଯାଇଥିଲା। ଡଃ ସଞ୍ଜୟ କୁମାର ରାଉଳଙ୍କୁ ଶ୍ରେଷ୍ଠ ଶିକ୍ଷକ, ଡଃ ଦେବଦତ୍ତ ସେଠୀଙ୍କୁ (AICRP on PHT) ଶ୍ରେଷ୍ଠ ବୈଜ୍ଞାନିକ, ଡଃ ଦାବନଗେରେ ଲେଙ୍କା, କେଭିକେ, ନବରଙ୍ଗପୁରଙ୍କୁ ଶ୍ରେଷ୍ଠ ସମ୍ପ୍ରସାରଣ ବୈଜ୍ଞାନିକ ଏବଂ ଡଃ କବିତା ସେଠୀ, କନିଷ୍ଠ ବୈଜ୍ଞାନିକ, AICRP on Cashewଙ୍କୁ ଶ୍ରେଷ୍ଠ ମହିଳା ବୈଜ୍ଞାନିକ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଡଃ ଦେବ୍ରା ମେହେରଙ୍କୁ ଶ୍ରେଷ୍ଠ ବୈଷୟିକ କର୍ମଚାରୀ, ଶ୍ରୀ ସରୋଜ କୁମାର ନାୟକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱରଙ୍କୁ ଶ୍ରେଷ୍ଠ ମନ୍ତ୍ରଣାଳୟ କର୍ମଚାରୀ ଭାବେ ସମ୍ମାନିତ କରାଯାଇଥିଲା। AICRP on Linseedକୁ ଶ୍ରେଷ୍ଠ AICRP, କେଭିକେ, ମୟୂରଭଞ୍ଜ-IIକୁ ଶ୍ରେଷ୍ଠ କେଭିକେ ଏବଂ AICRP on Cashewକୁ ଶ୍ରେଷ୍ଠ ବିହନ ଓ QPM ଉତ୍ପାଦନ ୟୁନିଟ୍ ଭାବେ ପୁରସ୍କୃତ କରାଯାଇଥିଲା। ପ୍ରତିଷ୍ଠା ଦିବସ ପାଳନର ଅଂଶବିଶେଷ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୃଷକମାନଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଆନୁଷଙ୍ଗିକ ସାମଗ୍ରୀକୁ ନେଇ ଏକ ଆକର୍ଷଣୀୟ କୃଷକ ପ୍ରଦର୍ଶନୀ ଓ ମେଳା ମଧ୍ୟ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀ କୃଷକ ଓ କୃଷି ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ସହ ଆଗନ୍ତୁକମାନଙ୍କ ସହ ଭାବ ବିନିମୟ ଓ ଅନୁଭୂତି ବାଣ୍ଟିବା ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। କାର୍ଯ୍ୟକ୍ରମକୁ କୃଷି ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପ୍ରତିଭା ଦୋରା, ଧନ୍ୟବାଦ ଦେଇଛନ୍ତି I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking