ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀରେ ଥିବା ଜିଲ୍ଲା ମହିଳା ହସ୍ପିଟାଲ (ଡଫରିନ୍ ହସ୍ପିଟାଲ)ର ନବଜାତ ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ତିନି ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ, ରାଜ୍ୟ ସାରା ଶୋକର ଲହରୀ ଖେଳିଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ରାତିରେ ଅମରାବତୀର ଜିଲ୍ଲା ମହିଳା ହସ୍ପିଟାଲରେ ଅଗ୍ନିକାଣ୍ଡରେ ତିନି ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ।ଆମେ ଗଭୀର ସମବେଦନା ସହିତ ସେମାନଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରୁଛୁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ ପୀଡିତ ପରିବାରଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୫ ଲକ୍ଷ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।










