ନୂଆଦିଲ୍ଲୀ : ଦୁର୍ଘଟଣା ପରର ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ଯୁବତୀ । ପାଖରେ ଥିବା ଜଣେ ସହକର୍ମୀ ସାହାଯ୍ୟ ପାଇଁ କାନ୍ଦି କାନ୍ଦି ଚିତ୍କାର କରୁଛନ୍ତି । ଆଉ ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କୁ ଘେରିଛନ୍ତି ସ୍ଥାନୀୟ ଲୋକ । ଅଗଷ୍ଟ ୧୬ ତାରିଖରେ ହାଇଦ୍ରାବାଦର ଇନୋରବିଟ୍ ମଲ୍ ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ରାସ୍ତା ପାର୍ ହେଉଥିବା ୨୬ ବର୍ଷୀୟ ଭାରତୀ ମୁଖୀଙ୍କୁ ଏକ ଦ୍ରୁତଗତିର କାର୍ ଆଷ୍ଟନ୍ ମାର୍ଟିନ୍ ଧକ୍କା ଦେଇଥିଲା ।ଦୁର୍ଘଟଣା ପରେ ଭାରତୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଭିଡିଓରେ ଦେଖାଯାଉଛି, ଜଣେ ମହିଳା ତାଙ୍କ ପାଖରେ ବସି ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଏପଟେ ଲୋକମାନେ ଗାଡ଼ି ଚାଳକଙ୍କୁ ଅଟକାଇ ଦେଇଥିଲେ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଆହତ ଭାରତୀଙ୍କୁ ସେହି ଆଷ୍ଟନ୍ ମାର୍ଟିନ୍ରେ ହିଁ ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ ଜୁବିଲି ହିଲ୍ସସ୍ଥିତ ଆପୋଲୋ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ ପୁଲିସ ୨୧ ବର୍ଷୀୟ ଲିଙ୍ଗମାନେନି ସଞ୍ଜୁଷଙ୍କୁ ଅଭିଯୁକ୍ତ କରିଛି । ସଞ୍ଜୁଷ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସାଂସଦ ତଥା ଜନସେନା ପାର୍ଟି ନେତା ଲିଙ୍ଗମାନେନି ରମେଶଙ୍କ ପୁଅ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି । ଭାରତୀଙ୍କ ଘର ଓଡ଼ିଶାରେ ବୋଲି ଜଣାପଡ଼ିଛି। ସେ ଇନୋରବିଟ୍ ମଲ୍ର ଲାଇଫ୍ଷ୍ଟାଇଲ୍ ଷ୍ଟୋରରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିଲେ। ଲଞ୍ଚ ବ୍ରେକ୍ରେ ସେ ତାଙ୍କ ସହକର୍ମୀ ପୂଜା ଅଶୋକଙ୍କ ସହ ଖାଇବା ଆଣିବାକୁ ITC କୋହେନୁର ଅଞ୍ଚଳକୁ ଯାଇଥିଲେ। ଫେରିବା ସମୟରେ ରାସ୍ତା ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ଏହି ଘଟଣାରେ ମାଧାପୁର ପୁଲିସ BNS ଧାରା ୧୦୬(୧) ଅନୁସାରେ ମାମଲା ରୁଜୁ କରିଛି । ଦୁର୍ଘଟଣାରେ ବ୍ୟବହୃତ ଆଷ୍ଟନ୍ ମାର୍ଟିନ୍କୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।










