ବାଲେଶ୍ବର : କମୁଛି ବନ୍ୟା ପାଣି, ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ବାଲେଶ୍ବର ଭୋଗରାଇ ବ୍ଲକରେ ଏବେ ବି ବନ୍ୟାର ଭୟାବହ ପ୍ରଭାବ । ପାଣି ଧୀରେ ଧୀରେ ଖସୁଥିଲେ ମଧ୍ୟ ଶତାଧିକ ଗାଁର ଲୋକଙ୍କ ଜୀବନ ଏବେ ବି ସ୍ୱାଭାବିକ ହୋଇପାରିନାହିଁ । ଭୋଗରାଇ ବ୍ଲକର ୨୦ରୁ ଅଧିକ ପଞ୍ଚାୟତରେ ବନ୍ୟା ପାଣି ପଶିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରେ ପାଣି ପଶି ଆସବାବପତ୍ର, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଯାଇଛି । ବିଶେଷକରି କୁମ୍ଭୀରଗଡି ପଞ୍ଚାୟତର କୁଲ୍ହା, ପନ୍ତେଇ ଓ ଖୋଳାବାଡ଼ିଆ ଭଳି ଗାଁରେ ବନ୍ୟାର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି । ବିଭିନ୍ନ ଘର ଚାରିପଟେ ଏବେ ବି ପାଣି ଜମି ରହିଛି । କେଉଁଠି ଘର ଭିତରେ ପାଣି, ତ ଆଉ କେଉଁଠି ଘର ଦ୍ୱାର ପାଣିରେ ଭାସି ଯାଇଛି । ବନ୍ୟା ଆସିବା ପରେ ଜୀବନ ବଞ୍ଚାଇବାକୁ ଅନେକ ପରିବାର କୁନି କୁନି ପିଲା ଓ ଗୃହପାଳିତ ପଶୁଙ୍କୁ ଧରି ନଦୀବନ୍ଧ ଉପରେ ଆଶ୍ରୟ ନେଇଥିଲେ ।
ଦିନ ପରେ ଦିନ ବନ୍ଧ ଉପରେ ରହିବା ପରେ ଏବେ ପାଣି କମୁଥିବାରୁ ଘରକୁ ଫେରିବାକୁ ଆଶା କରୁଛନ୍ତି ବିପନ୍ନ । ହେଲେ ଘରକୁ ଫେରିବା ପରେ ସେମାନଙ୍କ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ । ବନ୍ୟା ପାଣିରେ ଭାସି ଯାଇଥିବା ଘରଦ୍ୱାରକୁ ପୁଣି କେମିତି ସଜାଡ଼ିବେ? ନଷ୍ଟ ହୋଇଥିବା ଜିନିଷପତ୍ରକୁ କେମିତି ପୁଣି ଯୋଗାଡ଼ କରିବେ? ଏହି ଚିନ୍ତା ଏବେ ଘାରିଛି ବନ୍ୟା ବିପନ୍ନଙ୍କୁ । ପାଣି କମୁଛି, କିନ୍ତୁ ଲୋକଙ୍କ ଆଖିର ଲୁହ କମୁନି । ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଗୁଡ଼ିକ ଏବେ ସରକାରୀ ସହାୟତା, କ୍ଷୟକ୍ଷତିର ଆକଳନ ଓ ପୁନର୍ବାସ ଆଶାରେ ଅପେକ୍ଷା କରିଛନ୍ତି । ବନ୍ୟା ପରର ଏହି ଦୁର୍ଦ୍ଦିନରେ ପ୍ରଶାସନ କେବେ ଏବଂ କେତେ ସହାୟତା ଯୋଗାଇ ଦେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।










